ସାଇକେଲ୍‌ରେ ମୁମ୍ବାଇରୁ ଗୋରଖପୁର ଯାତ୍ରା

ମୁମ୍ବାଇ,୨୪।୪: ଦେଶରେ ଲକ୍‌ଡାଉନ୍‌ ଯୋଗୁ ଏକପ୍ରକାର ସବୁ ଠପ୍‌ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସମସ୍ତ ପ୍ରବାସୀଙ୍କୁ ଯିଏ ଯେଉଁଠାରେ ଅଛି ସେଠାରେ ରହିବାକୁ ନିବଦେନ କରିଥିଲେ। ମହାରାଷ୍ଟ୍ର ସରକାର ସମସ୍ତ ପ୍ରବାସୀ ଶ୍ରମିକଙ୍କ ପାଇଁ ରହିବା ଖାଇବା ବ୍ୟବସ୍ଥା କରିବାକୁ ଆଶ୍ୱସନା ମଧ୍ୟ ଦେଇଥିଲେ। ହେଲେ ସବୁ ଉଦ୍ୟମ ପରେ ବି ପ୍ରବାସୀଙ୍କ ଘର ଓ ଗାଁ ବହୁଡା ଥମିବାରେ ନାଁ ନେଉନି। କୌଣସି ସାଧନ ନ ମିଳିଲେ ଲୋକମାନେ ଚାଲିକି କିମ୍ବା ସାଇକେଲ୍‌ରେ ଗାଁକୁ ଫେରୁଥିବା ଦେଖିବାକୁ ମିଳୁଛି।

ଇତିମଧ୍ୟରେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରୁ ୨୦ଜଣ ଶ୍ରମିକ ଗୋଷ୍ଠୀ ୧୦ଟି ସାଇକେଲ୍‌ରେ ପ୍ରାୟ ୧୭୦୦ କିଲୋମିଟର ଦୂର ଉତ୍ତରପ୍ରଦେଶ ଗୋରଖପୁରକୁ ଯାତ୍ରା କରିଥିବା ଜଣାପଡ଼ିଛି। ମୁମ୍ବାଇରେ ରହିବା ଖାଇବା ଅସୁବିଧା ହେବା ସହ ପାଖରେ ଟଙ୍କା ନ ଥିବାରୁ ଶ୍ରମିକମାନେ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ସରକାର ସେମାନଙ୍କ ପାଇଁ କୌଣସି ବ୍ୟବସ୍ଥା କରି ନ ଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଆଉ କିଛି ଦିନ ସେଠାରେ ରହିଥିଲେ ଭୋକ ଉପାସରେ ତାଙ୍କର ମୃତ୍ୟୁ ଘଟିଥାନ୍ତା ବୋଲି ଶ୍ରମିକମାନେ କହିଛନ୍ତି। ତେଣୁ ସାଇକେଲ୍‌ରେ ଗାଁକୁ ଯିବା ପାଇଁ ସେମାନେ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

Share