ସହାୟିକା ଚୟନରେ ଅନିୟମିତତା ଘଟଣା ସିଡିପିଓଙ୍କୁ ଘେରିଲେ ମହିଳା

ବାହାନଗା, ୧୭ା୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ସମନ୍ବିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧୀନରେ ଥିବା ବିଷ୍ଣୁପୁର ଅଙ୍ଗନୱାଡି କେନ୍ଦ୍ର-୧ରେ ସହାୟିକା ଚୟନରେ ଅନିୟମିତତା ହୋଇଥିବା ଘଟଣା ନେଇ ବିବାଦ ଲାଗିରହିଛି। ଦୀର୍ଘ ୫ ମାସ ପରେ ବି ସେହି ଘଟଣାର କୌଣସି ସମାଧାନ ନ ହେବାରୁ କାର୍ଯ୍ୟାଳୟରେ ସିଡିପିଓଙ୍କୁ ଗ୍ରାମର ମହିଳା ଓ ପୁରଷମାନେ ଦିନତମାମ ଘେରାଉ କରି ଅଟକ ରଖିଛନ୍ତି। ସମାଧାନ ନ ହେଲେ ସିଡିପିଓଙ୍କୁ ଛାଡିବେ ନାହିଁ ବୋଲି ମହିଳାମାନେ ଅଡି ବସିଛନ୍ତି। ଖବର ଲେଖାହେବା ପର୍ଯ୍ୟନ୍ତ ଘେରାଉ କରି ରଖିଥିଲେ ା
ବିଷ୍ଣୁପୁର ଗ୍ରାମର ୧ ନମ୍ବର ଅଙ୍ଗନୱାଡି କେନ୍ଦ୍ରରେ ଗତ ଜୁଲାଇ ୨୮ ତାରିଖରେ ସହାୟିକା ଚୟନ ବେଳେ ମହିଳାମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ା ଏହି ଘଟଣା ନେଇ ସେହି ମାସ ୧୬ ତାରିଖରେ ମହିଳାମାନେ ସିଡିପିଓ ଅଫିସରେ ଘେରାଉ କରିଥିଲେ। ଏଥିରେ ଉପଜିଲାପାଳ ନିଜେ ହସ୍ତକ୍ଷେପ କରି ତଦନ୍ତ କରିବା ସହିତ ନିଯୁକ୍ତି ପାଇଥିବା ସହାୟିକା ଚୟନକୁ ବାତିଲ କରିବାର ପ୍ରତିଶ୍ରୁତି ଦେବା ପରେ ମହିଳାମାନେ ଘେରାଉରୁ ନିବୃତ୍ତ ରହିଥିଲେ। ପରେ ଗତ ତା ୨୦ା୯ା୨୦୧୯ରିଖରେ ତଦନ୍ତ ପାଇଁ ଏବିଡିଓ ଓ ଏସ୍‌ଡିପିଓ ଗ୍ରାମକୁ ଆସି ମହିଳାମାନଙ୍କଠାରୁ ଅଭିଯୋଗ ଗ୍ରହଣ କରିବା ସହିତ ପୁନଃ ତଦନ୍ତ କରି ଫେରିଥିଲେ। ତଦନ୍ତ ରିପୋର୍ଟ ୭ ଦିନ ମଧ୍ୟରେ ଉପଜିଲାପାଳଙ୍କଠାରେ ଦାଖଲ କରିବା ପରେ ସେ ଯାହା ନିଷ୍ପତ୍ତି ନେବେ ବୋଲି ଅଧିକାରୀ ଗ୍ରାମରେ ପ୍ରକାଶ କରିଥିଲେ। ଉପରିସ୍ଥ ଅଧିକାରୀମାନେ ବିଭିନ୍ନ ସମୟରେ ତଦନ୍ତ କରିଥିଲେ ମଧ୍ୟ କୌଣସି ନିଷ୍ପତ୍ତି ନ ହେବାରୁ ଗ୍ରାମର ମହିଳାମାନେ ଅଙ୍ଗନୱାଡି କେନ୍ଦ୍ରକୁ ତାଲା ପକାଇ ଦେଇଛନ୍ତି। ଫଳରେ ସେବେଠାରୁ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିଛି। ଏହି ଘଟଣା ପରେ ସୋମବାର ଗ୍ରାମର ମାତୃ କମିଟିର ସଭାପତି ମଞ୍ଜୁଲତା ପାଣିଗ୍ରାହୀ, ମାତୃ କମିଟି ସଦସ୍ୟା ତିଳୋତ୍ତମା ବେହେରା, ର୍ନିମଳା ବେହେରା, ସଞ୍ଜୁଲତା ବେହେରା , ରଜନୀ ପାଣିଗ୍ରାହୀ, ସୁସ୍ମିତା ବେହେରା, ବାସନ୍ତୀ ବେହେରା, ସରପଞ୍ଚ ଗଣେଶ୍ୱର ତ୍ରିପାଠୀ, ସମିତିସଭ୍ୟ ସାଧୁଚରଣ ପରିଡା, ମହେଶ୍ୱର ଦାସ, ଶତ୍ରୁଘ୍ନ ବେହେରା, ବୁଲୁ ମହାଳିକ, ସସ୍ମିତା ବେହେରା, ଦାମୋଦର ତ୍ରିପାଠୀ, ପ୍ରଜ୍ଞାପରିମିତା ପାଣିଗ୍ରାହୀ, ଶାନ୍ତିଲତା ଦାସ ପ୍ରମୁଖ ନୂତନ ସହାୟିକା ନିଯୁକ୍ତିକୁ ବାତିଲ କରିବାକୁ ଦାବି କରି ସିଡିପିଓଙ୍କ କାର୍ଯ୍ୟାଳୟକୁ ଘେରାଉ କରି ରଖିଛନ୍ତି ା ଏ ସମ୍ପର୍କରେ ସିଡିପିଓ କହିଛନ୍ତି, ସବୁ ଆଇନ ଅନୁଯାୟୀ କରାଯାଇଛି।