ଅସହାୟଙ୍କୁ ଖାଦ୍ୟ ଯୋଗାଉଛନ୍ତି ପୋଲିସ ଅଧିକାରିଣୀ

ଝାରସୁଗୁଡ଼ା ଅଫିସ,୨୯ା୩: ସମଗ୍ର ଦେଶକୁ କରୋନା ମୁକାବିଲା ଲାଗି ଲକ୍‌ଡାଉନ୍‌ କରାଯାଇଛି । କଟକଣା ଯୋଗୁ ଯାନବାହନ ସମେତ ହୋଟଲଗୁଡ଼ିକ ବନ୍ଦ ରହିଛି। ଏପରିସ୍ଥିତିରେ ବହୁ ସ୍ଥାନରେ ଲୋକେ ଫସି ରହିଛନ୍ତି। ଦୁଇଓଳି ଖାଇବାକୁ ମଧ୍ୟ ପାଉନାହାନ୍ତି। ସେହିପରି ରାସ୍ତା କଡ଼ରେ ଭିକ୍ଷାବୃତ୍ତି କରୁଥିବା ଲୋକେ ମଧ୍ୟ ଖାଇବାକୁ ନପାଇ ହଇରାଣ ହେଉଥିବା ଦେଖିବାକୁ ମିଳୁୁଛି। ତେବେ ଏଭଳି ଲୋକଙ୍କ ପାଇଁ ସହାୟତାର ହାତ ବଢ଼ାଇଛି ଝାରସୁଗୁଡା ପୋଲିସ। ଖୋଦ ଝାରସୁଗୁଡା ଥାନା ଅଧିକାରିଣୀ ସାବିତ୍ରୀ ବଳ ଏହି ଉଦ୍ୟମ ଆରମ୍ଭ କରିଛନ୍ତି। ସହରର ବିଭିନ୍ନ ସ୍ଥାନରେ ଅସହାୟ ଭାବେ ଘୂରି ବୁଲୁଥିବା ବ୍ୟକ୍ତି, ବିଭିନ୍ନ ମନ୍ଦିର, ରେଳ ଷ୍ଟେଶନ, ବସଷ୍ଟାଣ୍ଡ ଓ ରାସ୍ତା କଡରେ ବସି ରହୁଥିବା ଲୋକଙ୍କୁ ଶୁଖିଲା ଖାଦ୍ୟ ସେ ପ୍ରଦାନ କରୁଛନ୍ତି। ପୋଲିସର ଏହି କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।