ସହରରେ ଘୋଷଣା ପୂର୍ବରୁ ଲକ୍‌ଡାଉନ୍‌: ଭୟଭୀତ ଅବସ୍ଥାରେ ଲୋକେ

କେନ୍ଦୁଝର, ୨୪।୩ (ସ୍ବ.ପ୍ର.): କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ କେନ୍ଦୁଝର ସହରରେ ସୋମବାରଠାରୁ ଅଘୋଷିତ ଲକ୍‌ଡାଉନ୍‌ ଲାଗୁ ହୋଇଛି। ଫଳରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡିଛି। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବ୍ୟତୀତ ସମସ୍ତ ଦୋକାନ ବନ୍ଦ କରିଦିଆଯାଇଛି। ଫଳରେ ଅପ୍ରସ୍ତୁତ ଲୋକମାନେ ବହୁ ହୀନସ୍ତା ହେଉଛନ୍ତି। ଏଭଳି ପ୍ରଶାସନିକ ନିଷ୍ପତ୍ତିକୁ କେତେକ ସ୍ବାଗତ କରିଥିଲେ ହେଁ ପୂର୍ବ ସୂଚନା ବିନା ବନ୍ଦ କରାଯିବା ଅନେକଙ୍କୁ ବ୍ୟଥିତ କରିଛି। ରାସ୍ତାରେ ପୋଲିସ ବିଭିନ୍ନ ସ୍ଥାନରେ ଗାଡି ଓ ଲୋକଙ୍କୁ ଯାଞ୍ଚକରି ଛାଡୁଛି। ଏଭଳି କଟକଣା ଲାଗୁ ହେବା ଫଳରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ସୋମବାର ସନ୍ଧ୍ୟାରେ ସହରରେ ଦୋକାନବଜାରକୁ ପୋଲିସ ବନ୍ଦ କରି ଦେଇଥିବା ବେଳେ ମଦ ଦୋକାନ ଖୋଲା ରହିଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଛି। ପ୍ରଶାସନ ପକ୍ଷରୁ ମଙ୍ଗଳବାର ଦିନ ଲୋକଙ୍କୁ ସଚେତନ କରିବା ସହ ଆବଶ୍ୟକ ନ ଥିଲେ ଘରୁ ନ ବାହାରିବାକୁ ମାଇକରେ ପ୍ରଚାର କରାଯାଇଛି ।