Categories: ଗଞ୍ଜାମ

ସହରକୁ ସ୍ବଚ୍ଛ, ସୁନ୍ଦର କରିବାକୁ ସଙ୍କଳ୍ପ

ବ୍ରହ୍ମପୁର ଅଫିସ,୨ା୧- ନୂତନବର୍ଷରେ ବହୁ ନୂଆ ପଦକ୍ଷେପ ଗ୍ରହଣ କରିଛି ବ୍ରହ୍ମପୁର ମହାନଗର ନିଗମ। ସହରବାସୀ ଘର ପାଖରେ ବିଭିନ୍ନ ଅତ୍ୟାବଶ୍ୟକ ସେବା ଉପଲବ୍ଧ କରାଇବା ନେଇ ବିଏମ୍‌ସି ପକ୍ଷରୁ ଅର୍ବାନ ସେବା ଆପ୍‌ର ଶୁଭାରମ୍ଭ କରାଯାଇଛି। ସେହିପରି ସହରରେ ଆପରାଧିକ କାର୍ଯ୍ୟକଳାପ ରୋକିବା, ବିଏମ୍‌ସିର ନିୟମ ଖିଲାପକାରୀଙ୍କ ଉପରେ ନଜର ରଖିବା, ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ରୋକିବା ନେଇ ସିଟି ସର୍ଭିଲାନ୍ସ ବ୍ୟବସ୍ଥାର ମଧ୍ୟ ବିଏମ୍‌ସି ପକ୍ଷରୁ ଶୁଭାରମ୍ଭ କରାଯାଇଛି । ବିଏମ୍‌ସି ପରିସରରେ ନୂତନ ବର୍ଷ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ର ଶେଖର ସାହୁ ଏହି ଦୁଇ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏଥିସହ ଆମ୍ବପୁଆରେ ବିଡିଏ ପକ୍ଷରୁ ୮ କୋଟି ଟଙ୍କାରେ ନର୍ମାଣାଧୀନ ରକ୍‌ ଗାର୍ଡେନ(ପଥର ବଗିଚା) ନିର୍ମାଣ କାର୍ଯ୍ୟ, ମର୍ଦ୍ଦରାଜ ଭେଣ୍ଡିଂ ଜୋନ୍‌ ପରିସରରେ ୨.୮୬ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁଥିବା ଅତ୍ୟାଧୁନିକ ମାଛମାର୍କେଟ କାର୍ଯ୍ୟ, ବିଏମ୍‌ସି ପରିସରରେ ଖାଲିଥିବା ସ୍ଥାନରେ ୨୨ ଲକ୍ଷ ଟଙ୍କାରେ ପାକାଯିବାକୁ ଥିବା ବ୍ଲକ କାର୍ଯ୍ୟର ମଧ୍ୟ ଏମ୍‌ପି ଶୁଭ ଦେଇଥିଲେ ା ବ୍ରହ୍ମପୁରକୁ ସବୁଜ, ସୁନ୍ଦର ଓ ସ୍ମାର୍ଟ ସହରରେ ପରିଣତ କରିବା ନେଇ ପୂର୍ବରୁ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି ା ନୂତନ ବର୍ଷ ଅବସରରେ ଶୁଭାରମ୍ଭ ହୋଇଥିବା ସିଟି ସର୍ଭିଲାନ୍ସ ଓ ଅର୍ବାନ ସେବା ଆପ୍‌ ମହାନଗରକୁ ରାଜ୍ୟ ତଥା ଦେଶର ଏକ ଅଗ୍ରଣୀ ତଥା ସ୍ମାର୍ଟ ସହରରେ ପରିଣତ କରିବାରେ ଯଥେଷ୍ଟ ସହାୟକ ହେବା ନେଇ ବିଏମ୍‌ସି ପକ୍ଷରୁ କୁହାଯାଇଥିଲା। କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ା ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ଗଞ୍ଜାମ ଏସ୍‌ପି ବ୍ରିଜେଶ ରାଏ, ବ୍ରହ୍ମପୁର ଏସ୍‌ପି ପିନାକ୍‌ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ା ଏହି ପରିପ୍ରେକ୍ଷୀରେ ସହରକୁ ସବୁଜ,ସୁନ୍ଦର, ସ୍ବଚ୍ଛ ଓ ପ୍ଲାଷ୍ଟିକ ମୁକ୍ତ ସହରରେ ପରିଣତ କରିବାକୁ ବିଏମ୍‌ସି କର୍ମଚାରୀଙ୍କୁ ଅତିଥିମାନେ ଶପଥପାଠ କରାଇଥିଲେ ା