ସହଯୋଗର ହାତ ବଢ଼ାଇଲେ ନୋରା

ମୁମ୍ବାଇ: ଲକ୍‌ଡାଉନ୍‌ ସମୟରେ ମଜାଦାର ପୋଷ୍ଟକରି ନିଜର ଫ୍ୟାନ୍‌ମାନଙ୍କୁ ମନୋରଞ୍ଜନ କରାଉଥିବା ବଲିଉଡ୍‌ ଅଭିନେତ୍ରୀ ତଥା ମଡେଲ ନୋରା ଫତେହି ଏବେ ଅନ୍ୟ ଏକ କାରଣ ଯୋଗୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ନୋରା ବର୍ତ୍ତମାନ ଫ୍ରଣ୍ଟ୍‌ଲାଇନ୍‌ ଓ୍ବାର୍କର୍ସଙ୍କ ସହାୟତା ଲାଗି ଆଗେଇ ଆସିଛନ୍ତି। ଏହି ଅଭିନେତ୍ରୀ ଜଣଙ୍କ କରୋନା ପଜିଟିଭ୍‌ ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ଡାକ୍ତର ଏବଂ ବହୁ କର୍ମଚାରୀଙ୍କ ପାଇଁ ସରକାରୀ ଡାକ୍ତରଖାନାରେ ପିପିଇ (ପର୍ସନାଲ ପ୍ରୋଟେକ୍ଟିଭ୍‌ ଇକ୍ୟୁପ୍‌ମେଣ୍ଟ ) କିଟ୍‌ ଡୋନେଟ୍‌ କରିଛନ୍ତି। ଏ ବିଷୟରେ ସୂଚନା ଦେଇ ନୋରା ନିଜର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରି କହିଛନ୍ତି ଯେ, ଆମ୍ଭେମାନେ ଘରେ ସୁରକ୍ଷିତ ଅଛୁ। ମାତ୍ର କିଛିଲୋକ ଅଛନ୍ତି, ଯେଉଁମାନେ ଆମ ଲାଗି ପ୍ରତିଦିନ ଘରୁ ବାହାରି ନିଜର ଡ୍ୟୁଟି ପାଳନ କରୁଛନ୍ତି। ଏହି ମହାମାରୀରେ ପୋଲିସ, ଡାକ୍ତରଖାନା କର୍ମଚାରୀ, ସ୍ବାସ୍ଥ୍ୟ କର୍ମୀ, ନର୍ସ, ଡାକ୍ତର, ସଫେଇ କର୍ମଚାରୀ ପ୍ରତିଦିନ ନିଜ ନିଜ ଘରୁ ବାହାରି ସମାଜ ପ୍ରତି ଥିବା ତାଙ୍କ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି। ସେମାନଙ୍କ ଲାଗି ମଧ୍ୟ ସୁରକ୍ଷା ଆବଶ୍ୟକ। ସେମାନଙ୍କୁ ପିପିଇ କିଟ୍‌ର ଆବଶ୍ୟକତା ଅଧିକ। ଏଣୁ ଭାରତରେ ଥିବା ସରକାରୀ ଡାକ୍ତରଖାନାରେ ପିପିଇ କିଟ୍‌ ଦାନ କରୁଛି ବୋଲି ନୋରା କହିଛନ୍ତି। ଏଥିସହ ସେ ଫ୍ୟାନ୍‌ମାନଙ୍କୁ ଯଥାସମ୍ଭବ ସାହାଯ୍ୟ କରିବା ଲାଗି ନିବେଦନ କରିଛନ୍ତି।

Share