ନୂଆଦିଲ୍ଲୀ,୨୫।୧୨: ଭାରତୀୟ ଷ୍ଟାର କ୍ରିକେଟର୍ ବିରାଟ କୋହଲି ବିଜୟ ହଜାରେ ଟ୍ରଫିରେ ଏକ ଚମିତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ଆନ୍ଧ୍ର ବିପକ୍ଷରେ ୧୩୧ ରନର ଏକ ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ। ଏହି ମ୍ୟାଚରେ ଦିଲ୍ଲୀ ମାତ୍ର ୩୮ତମ ଓଭରରେ ୨୯୯ ରନର ଲକ୍ଷ୍ୟକୁ ପିଛା କରିଥିଲା। ବିରାଟ ଏବେ ଜବରଦସ୍ତ ଫର୍ମରେ ଅଛନ୍ତି, ପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ଦିନିକିଆ ସିରିଜରେ ଦୁଇଟି ଶତକ ଏବଂ ଏକ ଅର୍ଦ୍ଧଶତକ ସ୍କୋର କରିଥିଲେ।
ତାଙ୍କର ଚମତ୍କାର ଫର୍ମ ସତ୍ତ୍ୱେ, ଗୋଟିଏ ପ୍ରଶ୍ନ ଲଗାତାର ଉଠାଯାଉଛି: କ’ଣ ବିରାଟ ୨୦୨୭ ଦିନିକିଆ ବିଶ୍ୱକପ ଖେଳିବେ? ଏବେ ବିରାଟ କୋହଲିଙ୍କ ପିଲାଦିନର କୋଚ ରାଜକୁମାର ଶର୍ମା ଏକ ସାକ୍ଷାତକାରରେ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି। ରାଜକୁମାର କହିଛନ୍ତି, ବିରାଟ ୨୦୨୭ ବିଶ୍ୱକପ ଖେଳିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ।
ରାଜକୁମାର କହିଛନ୍ତି, ସେ ଚମତ୍କାର ଫର୍ମରେ ଅଛନ୍ତି। ସେ ଭଲ ବ୍ୟାଟିଂ କରି ଦିଲ୍ଲୀର ବିଜୟ ସୁନିଶ୍ଚିତ କରିଥିଲେ। ସେ ଦୀର୍ଘ ସମୟ ପରେ ଘରୋଇ କ୍ରିକେଟକୁ ଫେରିଛନ୍ତି, ତଥାପି ସେ ଭଲ ପ୍ରଦର୍ଶନ କରିଛନ୍ତି। ସେ ବର୍ତ୍ତମାନ ଭାରତୀୟ ଦଳରେ ସବୁଠାରୁ ସ୍ଥିର ପ୍ରଦର୍ଶନକାରୀ ଏବଂ ବିଶ୍ୱକପ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ।
ଦିଲ୍ଲୀ ପାଇଁ ୧୩୧ ରନର ଇନିଂସ ଖେଳି ବିରାଟ କୋହଲି ତାଙ୍କ ଲିଷ୍ଟ ଏ କ୍ୟାରିୟରର ୫୮ତମ ଶତକ ହାସଲ କରିଥିଲେ। ଏହା ଦିଲ୍ଲୀ ପାଇଁ ଲିଷ୍ଟ ଏ କ୍ରିକେଟରେ ତାଙ୍କର ପଞ୍ଚମ ଶତକ ଥିଲା। ସେହି ମ୍ୟାଚରେ ବିରାଟ ତାଙ୍କ ଲିଷ୍ଟ ଏ କ୍ୟାରିୟରରେ ୧୬,୦୦୦ ରନ ମଧ୍ୟ ପୂରଣ କରିଥିଲେ। ବିରାଟ ଏବେ ଲିଷ୍ଟ ଏ କ୍ରିକେଟରେ ୩୩୦ ଇନିଂସରେ ୧୬,୧୩୦ ରନ କରିଛନ୍ତି। ଭାରତ ପାଇଁ ଏହି ଫର୍ମାଟରେ ସର୍ବାଧିକ ରନ କରିବାର ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାମରେ ଅଛି ୨୧,୯୯୯ ରନ।
ବିରାଟ କୋହଲି ଡିସେମ୍ବର ୨୬ରେ ବିଜୟ ହଜାରେ ଟ୍ରଫିରେ ତାଙ୍କର ପରବର୍ତ୍ତୀ ମ୍ୟାଚ ଖେଳିବେ। ଦିଲ୍ଲୀ ଏହି ଦିନ ଗୁଜରାଟ ସହିତ ମୁକାବିଲା କରିବ, ଏବଂ ମ୍ୟାଚ ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯିବ। ଦିଲ୍ଲୀ ବନାମ ଗୁଜରାଟ ମ୍ୟାଚ ଭାରତୀୟ ସମୟ ଅନୁସାରେ ସକାଳ ୯.୦୦ଟାରେ ଆରମ୍ଭ ହେବ।
Dharitri – Odisha’s No.1 Odia Daily


