Categories: ବାଣିଜ୍ୟ

ସର୍ବଶ୍ରେଷ୍ଠ ସିଇଓ ତାଲିକାରେ ୩ ଭାରତୀୟ

ନ୍ୟୁୟର୍କ,୩୦-୧୦: ବିଶ୍ୱର ସର୍ବଶ୍ରେଷ୍ଠ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ତାଲିକାରେ ୩ ଭାରତ ଜନ୍ମିତ ବ୍ୟକ୍ତି ସାମିଲ ହୋଇଛନ୍ତି। ହାଭାର୍ଡ ବିଜନେସ ରିଭ୍ୟୁ(ଏଚ୍‌ବିଆର୍‌) ପକ୍ଷରୁ ପ୍ରକାଶିତ ‘ଦି ବେଷ୍ଟ ପରଫରମିଂ ସିଇଓ ଇନ୍‌ ଦି ଓ୍ବାର୍ଲଡ-୨୦୧୯’ ସୂଚୀରେ ୧୦୦ ସିଇଓଙ୍କୁ ରହିଥିବା ବେଳେ ଏମାନଙ୍କ ମଧ୍ୟରେ ଭାରତର ଶାନ୍ତନୁ ନାରାୟଣ, ଅଜୟ ବାଙ୍ଗା ଏବଂ ସତ୍ୟ ନାଡେଲା ସାମିଲ ହୋଇଛନ୍ତି। ତାଲିକାର ଶୀର୍ଷରେ ଆମେରିକା ଭିତ୍ତିକ ଟେକ୍ନେଲୋଜି କମ୍ପାନୀ ଏନ୍‌ଭିଡିଆର ସିଇଓ ଜେନସେନ ହୁଆଙ୍ଗ ରହିଛନ୍ତି। ତାଲିକାର ୬ଷ୍ଠ ସ୍ଥାନରେ ଆଡବ୍‌ ସିଇଓ ସାନ୍ତନୁ ନାରାୟଣ, ସପ୍ତମରେ ମାଷ୍ଟରକାର୍ଡ ସିଇଓ ଅଜୟ ବାଙ୍ଗା ଏବଂ ୯ମ ସ୍ଥାନରେ ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲା ସ୍ଥାନିତ ହୋଇଛନ୍ତି। ତାଲିକାରେ ଅନ୍ୟ ଭାରତୀୟ ଭାବେ ଡିବିଏସ୍‌ ବ୍ୟାଙ୍କ ସିଇଓ ପିୟୁଷ ଗୁପ୍ତା ୮୯ ତମରେ ଥିବା ବେଳେ ଆପଲ ସିଇଓ ଟିମ୍‌ କୁକ ୬୨ ତମ ସ୍ଥାନରେ ରହିଛନ୍ତି।
ତାଲିକାର ୨୦ତମ ସ୍ଥାନରେ ନାଇକ୍‌ ସିଇଓ ମାର୍କ ପାର୍କର, ୨୩ତମରେ ଜେପି ମୋର୍ଗାନ ଚେସ୍‌ ମୁଖ୍ୟ ଜେମି ଡାଇମନ, ଲକହିଡ ମାର୍ଟିନ ସିଇଓ ମାରିଲିନ ହିଓସନ (୩୭ତମ), ଡିଜନୀ ସିଇଓ ରବର୍ଟ ଆଇଗର(୫୫ତମ) ଏବଂ ୯୬ତମ ସ୍ଥାନରେ ସଫ୍ଟ ବ୍ୟାଙ୍କ ସିଇଓ ମାସାୟୁସି ସନ୍‌ ରହିଛନ୍ତି। କେବଳ ଆର୍ଥତ୍କ ପରଫରମାନ୍ସ ନୁହେଁ ପରିବେଶ, ସାମାଜିକ, ଗଭର୍ନାନ୍ସ (ଇଏସ୍‌ଜି) ଭଳି ବର୍ଗରେ ରେଟିଂକୁ ଧ୍ୟାନରେ ରଖି ଏହି ତାଲିକା ପ୍ରସ୍ତୁତ କରାଯାଉଥିବା ହାଭାର୍ଡ ବିଜନେସ ରିଭ୍ୟୁ ପକ୍ଷରୁ କୁହାଯାଇଛି। ୨୦୧୪ ପରଠାରୁ ଆମାଜନ ସିଇଓ ଜେଫ୍‌ ବେଜୋସ୍‌ ତାଲିକାରେ ସ୍ଥାନିତ ହୋଇ ପାରିନାହାନ୍ତି। ନ୍ୟୁନ ଇଏସ୍‌ଜି ପାଇଁ ଏପରି ହେଉଥିବା ଜଣାପଡିଛି। ୨୦୧୯ର ଏହି ତାଲିକାରେ ୪ ମହିଳା ସିଇଓ ରହିଛନ୍ତି। ଏହା ୨୦୧୮ରେ ୩ ଏବଂ ୨୦୧୭ରେ ୨ ରହିଥିଲା। ତାଲିକାରେ ସ୍ଥାନୀତ ଏକଜେକ୍ୟୁଟିଭଙ୍କ ମଧ୍ୟରେ ସିଇଓ ହେବାର ହାରାହାରି ବୟସ ୪୫ ଏବଂ ସେମାନେ ୧୫ ବର୍ଷ କାର୍ଯ୍ୟ କରିଥିବା ଜଣାପଡିଛି।

Share