Categories: ଖେଳ

ସର୍ଫରାଜଙ୍କ ଫିଟ୍‌ନେସ୍‌କୁ ଅଖତାରଙ୍କ ସମାଲୋଚନା

କାର୍ଡିଫ,୧।୬- ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ଓ୍ବେଷ୍ଟଇଣ୍ଡିଜଠାରୁ ବୃହତ୍‌ ପରାଜୟବରଣ କରିଛି। ଏଥିରେ ପୂର୍ବତନ ପେସର ଶୋଏବ ଅଖତାର ପାକିସ୍ତାନ ଅଧିନାୟକ ଅହମ୍ମଦ ସର୍ଫରାଜଙ୍କ ଫିଟ୍‌ନେସ୍‌କୁ ପ୍ରବଳ ସମାଲୋଚନା କରିଛନ୍ତି। ପାକିସ୍ତାନ ଦଳ ମାତ୍ର ୧୦୫ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଏହା ପାକିସ୍ତାନର ବିଶ୍ୱକପ୍‌ରେ ଦ୍ୱିତୀୟ ସର୍ବନିମ୍ନ ଦଳଗତ ସ୍କୋର। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ମାତ୍ର ୨୨ ଓଭରରେ ସୀମିତ ରହିଯାଇଥିଲା। ଜବାବରେ କ୍ରିସ୍‌ ଗେଲ୍‌ଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ଓ୍ବେଷ୍ଟଇଣ୍ଡିଜ ୧୩.୪ ଓଭରରେ ୩ ଉଇକେଟ ହରାଇ ମ୍ୟାଚ୍‌ ଜିତିନେଇଥିଲା। ଏହାପରେ ରାଉଲପିଣ୍ଡି ଏକ୍ସପ୍ରେସ ଭାବେ ନିଜ ଖେଳିବାବେଳେ ଜଣାଶୁଣା ଅଖତାର ୩୨ ବର୍ଷୀୟ କ୍ୟାପ୍‌ଟେନଙ୍କୁ ଏକ ଭିଡିଓ ଜରିଆରେ ପ୍ରବଳ ସମାଲୋଚନା କରିଛନ୍ତି। ଉଇକେଟ ପଛରେ ଫିଟ୍‌ନେସ୍‌ ଯୋଗୁ ସର୍ଫରାଜ ପ୍ରବଳ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏଣୁ ତାଙ୍କୁ ପାକିସ୍ତାନ ଏପର୍ଯ୍ୟନ୍ତ ସବୁଠୁ ଅନ୍‌ଫିଟ୍‌ ଅଧିନାୟକ ବୋଲି ମଧ୍ୟ ଅଖତାର କହିଛନ୍ତି। ଅନ୍ୟପକ୍ଷରେ ୩ ଉଇକେଟ ନେଇଥିବା ମହମ୍ମଦ ଆମିରଙ୍କୁ ପ୍ରଶଂସା କରିଛନ୍ତି। ଉଲ୍ଲେଖଥାଉ କି, ପ୍ରଥମ ମ୍ୟାଚ୍‌ରେ ବୃହତ୍‌ ବ୍ୟବଧାନରେ ହାରିବା ପରେ ବଡ଼ ଟୁର୍ନାମେଣ୍ଟ ଜିତିବାରେ ପାକିସ୍ତାନର ରେକର୍ଡ ରହିଛି। ୧୯୯୨ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନକୁ ୧୦ ଉଇକେଟରେ ଓ୍ବେଷ୍ଟଇଣ୍ଡିଜ ହରାଇଥିଲା, ଯେଉଁ ସଂସ୍କରଣରେ ସେ ଚାମ୍ପିୟନ ହୋଇଥିଲା। ୨୦୧୭ ଚାମ୍ପିୟନ୍ସ ଟ୍ରଫିରେ ଭାରତଠାରୁ ୧୨୪ ରନ୍‌ରେ ପରାସ୍ତହେବା ପରେ ପାକିସ୍ତାନ ଟାଇଟଲ ଜିତିଥିଲା।

Share