Categories: ଜାତୀୟ

ସର୍ଦ୍ଦାର ପଟେଲଙ୍କ ନାମରେ ସର୍ବୋଚ୍ଚ ନାଗରିକ ସମ୍ମାନ ଆରମ୍ଭ କରିବେ ମୋଦି

ନୂଆଦିଲ୍ଲୀ,୨୫।୯: ରାଷ୍ଟ୍ରର ଏକତା ଓ ଅଖଣ୍ଡତା କ୍ଷେତ୍ରରେ ଯୋଗଦାନ ପାଇଁ କେନ୍ଦ୍ର ସରକାର ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ନାମରେ ସର୍ବୋଚ୍ଚ ନାଗରିକ ସମ୍ମାନର ଶୁଭାରମ୍ଭ କରିଛନ୍ତି। ଗୃହ ମନ୍ତ୍ରଣାଳୟ ପକ୍ଷରୁ ସର୍ଦ୍ଦାର ପଟେଲଙ୍କ ନାମରେ ରାଷ୍ଟ୍ରୀୟ ପୁରସ୍କାର ଆରମ୍ଭ କରାଯିବା ନେଇ ଏକ ସୂଚନା ଜାରି କରାଯାଇଛି। ଏହି ପୁରସ୍କାରର ଉଦ୍ଦେଶ୍ୟ ହେଉଛି ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତାକୁ ପ୍ରୋତ୍ସାହନ ପ୍ରଦାନ କରିବା ଏବଂ ଏକ ମଜଭୁତ ଓ ଅଖଣ୍ଡ ଭାରତର ମୂଲ୍ୟବୋଧକୁ ସୁଦୃଢ଼ କରିବା। ଏଥିରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତି ବିଶେଷଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ। ରାଷ୍ଟ୍ରୀୟ ଏକତା ଦିବସ, ଅର୍ଥାତ୍‌ ଅକ୍ଟୋବର ୩୧ରେ ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଅବସରରେ ଉକ୍ତ ପୁରସ୍କାର ଘୋଷଣା କରାଯିବ। ରାଷ୍ଟ୍ରପତି ଭବନରେ ଆୟୋଜିତ ହୋଇଥିବା ପଦ୍ମ ପୁରସ୍କାର ସମାରୋହ ସହିତ ଉକ୍ତ ପୁରସ୍କାର ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦାନ କରାଯିବ। ପୁରସ୍କାରରେ ଏକ ପଦକ ଏବଂ ସମ୍ବର୍ଦ୍ଧନା ପତ୍ର ରହିବ। ପୁରସ୍କାରରେ କୌଣସି ଅନୁଦାନ କିମ୍ବା ନଗଦ ରାଶି ପ୍ରଦାନ କରାଯିବ ନାହିଁ। ଗୋଟିଏ ବର୍ଷ ମଧ୍ୟରେ ୩ରୁ ଅଧିକ ପୁରସ୍କାର ଦିଆଯିବ ନାହିଁ। ଏହା ଅତିଅସାଧାରଣ ଏବଂ ଅତ୍ୟଧିକ ଖ୍ୟାତନାମା ବ୍ୟକ୍ତିଙ୍କୁ ଛାଡି ମରଣୋତ୍ତର ଭାବେ ପ୍ରଦାନ କରାଯିବ ନାହିଁ। ପ୍ରତିବର୍ଷ ନାମାଙ୍କନ ଆମନ୍ତ୍ରଣ କରାଯିବ। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏକ ପୁରସ୍କାର ସମିତି ଗଠନ କରାଯିବ, ଯେଉଁଥିରେ ସଦସ୍ୟ ଭାବେ କ୍ୟାବିନେଟ ସଚିବ, ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ, ରାଷ୍ଟ୍ରପତିଙ୍କ ସଚିବ, ଗୃହସଚିବ ଏବଂ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନ କରାଯାଇଥିବା ୩ରୁ ୪ ଜଣ ପ୍ରତିଷ୍ଠିତ ବ୍ୟକ୍ତି ସାମିଲ ହେବେ।

Share