ସରୋଜ ଖାଁଙ୍କ ଶୋକ ସଭାରେ ଯୋଗ ଦେବେନି ମାଧୁରୀ !

ମୁମ୍ବାଇ: ବଲିଉଡ୍‌ର ବେଷ୍ଟ କୋରିଓଗ୍ରାଫର ଭାବେ ଜଣାଶୁଣା ସରୋଜ ଖାଁ ଏବେ ପାଲଟି ଯାଇଛନ୍ତି ଅଫେରା ରାଇଜର ପଥିକ। ହେଲେ ପଛରେ ଛାଡି ଯାଇଛନ୍ତି ଅନେକ ଅଭୁଲା ସ୍ମୃତି। ସରୋଜ ସବୁବେଳେ କହୁଥିଲେ ଯଦି ମାଧୁରୀ ନ ଥାଆନ୍ତେ ତେବେ ସେ ହୁଏତ ବଲିଉଡ୍‌ରେ ନ ଥାଆନ୍ତେ। ବଲିଉଡ୍‌ର ତେଜାବ କୁଇନ୍‌ ମାଧୁରୀ ମଧ୍ୟ ସରୋଜଙ୍କୁ ଗୁରୁ ସହ ମା’ଭଳି ସ୍ନେହ ଶ୍ରଦ୍ଧା କରନ୍ତି। ଜୁଲାଇ ୩ରେ ସରୋଜଙ୍କ ପରଲୋକ ମାଧୁରୀଙ୍କ ଜୀବନର ଏକ ଅପୂରଣୀୟ କ୍ଷତି ବୋଲି ସେ କହିଥିଲେ। ଏବେ ସରୋଜଙ୍କ ପରିବାର ପକ୍ଷରୁ ତାଙ୍କ ଉଦ୍ଦେଶ୍ୟରେ ଏକ ଶୋକ ସଭା କରିବା କଥା ଚିନ୍ତା କରାଯାଇଥିବା ବେଳେ ମାଧୁରୀ କିନ୍ତୁ ଏଥିରେ ଯୋଗ ଦେଇ ପାରିବେ ନାହିଁ ବୋଲି କହିଥିବା ଜଣାପଡିଛି। ସରୋଜଙ୍କ ସାନ ଝିଅ ଏକ ବିଶେଷ ସାକ୍ଷାତ୍‌କାରରେ କହିଛନ୍ତି ମାଧୁରୀ ମ୍ୟାଡାମ ନ ଆସିଲେ ହୁଏତ ଆମେ ଶୋକସଭା ନ କରିପାରୁ। କାରଣ ମୋ ମା’ ମାଧୁରୀଙ୍କୁ ଝିଅଠାରୁ ଅଧିକ ଦେଖୁଥିଲେ। ତେଣୁ ମୋର ଭାଇ ଓ ମାଧୁରୀ ମ୍ୟାଡାମ ଏଥିରେ ଉପସ୍ଥିତ ରହିବା ଜରୁରୀ। ଅନ୍ୟପଟେ ଘରେ ୮୭ ବର୍ଷୀୟା ବୃଦ୍ଧା ମା’ ଥିବାରୁ ମାଧୁରୀ ଏବେ ଘରୁ ବାହାରକୁ ବାହରିବାକୁ ଚାହୁଁ ନ ଥିବା କହିଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାଧୁରୀ ଏପରି କହିଥିବା ଜଣାପଡିଛି।

Share