ସରୋଗେସି ରାସ୍ତା ଆପଣାଇଥିଲେ ଶିଳ୍ପା

ମୁମ୍ବାଇ: ଶିଳ୍ପା ସେଟ୍ଟୀ ଗତ ଫେବୃୟାରୀରେ ଏକ କନ୍ୟାସନ୍ତାନର ମା’ ହୋଇଛନ୍ତି। ତେବେ ସରୋଗେସି ରାସ୍ତା ଆପଣାଇବା ସମ୍ପର୍କରେ ସେ କହିଛନ୍ତି ଯେ, ମୁଁ ମୋ ପୁଅ ଭିଆନଙ୍କ ପରେ ଢେରଦିନ ଧରି ଦ୍ୱିତୀୟ ସନ୍ତାନ ପାଇଁ ଚେଷ୍ଟା କରୁଥିଲି। ମାତ୍ର ଆପ୍ଲା ନାମକ ଏକ ରୋଗ ପାଇଁ ଏହା ସମ୍ଭବ ହେଉ ନ ଥିଲା। ମୁଁ ଯେତେବେଳେ ଗର୍ଭବତୀ ହେଉଥିଲି ଏହି ରୋଗଟି ସକ୍ରିୟ ହୋଇଯାଉଥିଲା। ତେଣୁ ବାଧ୍ୟ ହୋଇ ଅନେକଥର ଗର୍ଭପାତ କରାଇଥିଲି। ଆଡପ୍‌ଶନ ବିଷୟରେ ବି ବହୁତ ଭାବିଥିଲି, କିନ୍ତୁ ତାହା ମଧ୍ୟ ସମ୍ଭବ ହୋଇପାରି ନ ଥିଲା ବୋଲି ଶିଳ୍ପା କହିଛନ୍ତି। ଆମେ ଦୁହେଁ ସବୁବେଳେ ଚାହୁଁଥିଲୁ ଯେ, ଭିଆନର ଜଣେ ଭଉଣୀ ଆସୁ। ତେଣୁ ବାଧ୍ୟ ହୋଇ ସରୋଗେସି ରାସ୍ତା ବାଛିଥିଲି। ସବୁବେଳେ ଏକ ଝିଅକୁ ଜନ୍ମ ଦେବାକୁ ଭାବିଥିଲି, ସେଥିଲାଗି ୨୧ ବର୍ଷ ତଳୁ ତା’ର ନାଁ ସମୀଷା ରଖିବି ବୋଲି ଭାବିସାରିଥିଲି ବୋଲି ସେ କହିଛନ୍ତି। ସମୀଷା ଜନ୍ମ ହେବା ପରେ ମୋ ଘରକୁ ଲକ୍ଷ୍ମୀ ଆସିଛନ୍ତି। ତା’ ଜନ୍ମରେ ଆମ ପରିବାରର ସମସ୍ତ ସଦସ୍ୟ ବହୁତ ଖୁସି। ଏହାକୁ ଶବ୍ଦରେ ମଧ୍ୟ ବର୍ଣ୍ଣନା କରିବା ମୋ ପକ୍ଷେ କଷ୍ଟକର ବୋଲି ଶିଳ୍ପା ପ୍ରକାଶ କରିଛନ୍ତି।

Share