Categories: ଭଦ୍ରକ

ସରୁନି ଅଙ୍ଗନୱାଡି ଗୃହ ନିର୍ମାଣ

ଭଦ୍ରକ ଅଫିସ,୯।୨- ଭଦ୍ରକ ଜିଲାରେ ସମନ୍ବିତ ଶିଶୁ ବିକାଶ ଯୋଜନା ମାଧ୍ୟମରେ ୩ ରୁ ୬ବର୍ଷର ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଓ ଶିକ୍ଷା ପ୍ରତି ମନୋନିବେଶ କରି ଅଙ୍ଗନଓ୍ବାଡି କେନ୍ଦ୍ରକୁ ଆଣିବା ପାଇଁ ହୋଇଥିବା ଉଦ୍ୟମ ଏକପ୍ରକାର ଫସର ଫାଟିଛି। ପ୍ରାୟତଃ କେନ୍ଦ୍ରର ନିଜସ୍ବ ଗୃହ ନ ଥିବାରୁ କେଉଁଠି କର୍ମୀଙ୍କ ଘରେ ପାଠପଢ଼ା ଚାଲିଛି ତ ଆଉ କେଉଁଠି ଗଁ। କୋଠଘରେ ପିଲାଙ୍କୁ ଶିକ୍ଷାଦାନ କରାଯାଉଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା କାରଣରୁ ଅଙ୍ଗନଓ୍ବାଡି କେନ୍ଦ୍ରର ନିଜସ୍ବ ଗୃହ ହୋଇପାରୁ ନ ଥିବା ସାଧାରଣରେ ଅଭିଯୋଗ ହେଉଛି। ନିଜସ୍ବ ଗୃହ ନିର୍ମାଣ ସକାଶେ କାର୍ଯ୍ୟାଦେଶ ଦିଆଯାଇଥିଲେ ମଧ୍ୟ ବର୍ଷ ବର୍ଷ ଧରି ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିପାରୁ ନାହିଁ।
ମିଳିଥିବା ସୂଚନା ଅନୁସାରେ, ୨୦୧୭-୧୮ ଓ ୨୦୧୮-୧୯ରେ ଜିଲାରେ ଦିଆଯାଇଥିବା କାର୍ଯ୍ୟାଦେଶ କେବଳ କାର୍ଯ୍ୟାଦେଶରେ ହିଁ ଅଟକି ରହିଛି। ମୋଟ ୬୫୯ ଗୃହ ମଧ୍ୟରୁ ମାତ୍ର ୪୫ଟି ନିର୍ମାଣ ସରିଛି। ୧୮୬ ଗୃହ ନିର୍ମାଣାଧୀନ ରହିଥିବାବେଳେ ୪୨୮ଟିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ। ଏ ନେଇ ପ୍ରତି ୩ ମାସରେ ଥରେ ଜିଲାସ୍ତରୀୟ ଅଧିକାରୀମାନଙ୍କୁ ନେଇ ସମୀକ୍ଷା ବୈଠକ ବସୁଛି। ହେଲେ ସୁଫଳ ମିଳୁ ନ ଥିବା ପରିତାପର ବିଷୟ ପାଲଟିଛି। ମନ୍ଥର ଗତିରେ ନିର୍ମାଣ କାର୍ଯ୍ୟ ଚାଲିଛି। ତଥ୍ୟ ମୁତାବକ ବାସୁଦେବପୁର ବ୍ଲକରେ ୨୦୧୭-୧୮ ଓ ୨୦୧୮-୧୯ରେ ୯୦ଟି ଘର ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା ଓ ଏଥିପାଇଁ ଅର୍ଥ ଅନୁମୋଦନ ହୋଇଥିଲା। ସେଥିମଧ୍ୟରୁ ମାତ୍ର ୪ଟି ଗୃହ ନିର୍ମାଣ ସରିଛି। ସେହିଭଳି ଭଦ୍ରକ ବ୍ଲକରେ ୮୧ଟି ଘର ମଧ୍ୟରୁ ମାତ୍ର ୩ ଓ ଭଣ୍ଡାରିପୋଖରୀରେ ୭୨ଟି ଗୃହ ମଧ୍ୟରୁ ୧୨ଟିର ନିର୍ମାଣ ଶେଷ ହୋଇଛି। ବନ୍ତରେ ୮୨ ଗୃହ ମଧ୍ୟରୁ ୬, ଚାନ୍ଦବାଲିରେ ୧୫୯ରୁ ୪, ଧାମନଗରରେ ୯୪ରୁ ୮ ଏବଂ ତିହିଡ଼ିରେ ୮୧ଟି ଗୃହ ମଧ୍ୟରୁ ୮ଟି ନିର୍ମାଣ ସରିଛି। ଏ ସମ୍ପର୍କରେ ଉପଜିଲାପାଳ ପୀତାମ୍ବର ସାମଲଙ୍କୁ ପଚାରିବାରୁ ଉପଯୁକ୍ତ ସମୟ ବ୍ୟବଧାନରେ ବ୍ଲକସ୍ତରୀୟ ଅଧିକାରୀଙ୍କୁ ନେଇ ସମୀକ୍ଷା ହେଉଛି ଏବଂ ଶୀଘ୍ର ସାରିବା ପାଇଁ ଅଧିକାରୀଙ୍କୁ ତାଗିଦ୍‌ କରାଯାଉଛି ବୋଲି କହିଛନ୍ତି।