Categories: ଜାତୀୟ

ସରକାର ଗଢିବାକୁ ଭାଜପାକୁ ରାଜ୍ୟପାଳଙ୍କ ଆମନ୍ତ୍ରଣ : ଶିବସେନାକୁ ମିଳିପାରେ ଏନ୍‌ସିପିର ସହଯୋଗ

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ରରେ କିଏ ହେବ ମୁଖ୍ୟମନ୍ତ୍ରୀ। ଏହାକୁ ନେଇ ଏବେବି ସ୍ପଷ୍ଟ ତଥ୍ୟ ମିଳି ପାରୁ ନାହିଁ। ଶିବସେନା କଥାରେ ରାଜି ନ ହୋଇ ନିଜ ଜିଦ୍‌ରେ ଅଡି ବସିଥିବା ଭାରତୀୟ ଜନତା ପାର୍ଟି(ଭାଜପା)କୁ ସରକାର ଗଠନ ଲାଗି ଶନିବାର ରାଜ୍ୟପାଳ ଭଗତ ସିଂ କୋଶିୟାରୀ ଆମନ୍ତ୍ରଣ କରିଛନ୍ତି। ଏହାସହ ସୋମବାର ଭାଜପା ବହୁମତ ସାବ୍ୟସ୍ତ କରିବାକୁ ମଧ୍ୟ କୁହାଯାଇଛି। ହେଲେ ଭାଜପା ପକ୍ଷରୁ ଏନେଇ କୌଣସି ସଙ୍କେତ ଦିଆଯାଇ ନାହିଁ। ସେପଟେ ରବିବାର ମଧ୍ୟାହ୍ନରେ ଭାଜପାର କୋର କମିଟି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଇତିମଧ୍ୟରେ ଏନ୍‌ସିପି ତା’ର ନୂଆ ଫର୍ମୁଲା ପ୍ରୟୋଗ କରି ଭାଜପାକୁ ସରକାର ଗଠନ କରିବାକୁ ସୁଯୋଗ ଦେବ ନାହିଁ ବୋଲି ଶୁଣିବାକୁ ମିଳୁଛି। କୁହାଯାଉଛି ଏନ୍‌ସିପି ଏବେ ଶିବସେନାକୁ ସମର୍ଥନ କରିପାରେ। ଯଦି ଏହା ହେଲା ତେବେ ଭାଜପାର ଭବିଷ୍ୟତ କ’ଣ ହେବ ତାହା ମଧ୍ୟ ପ୍ରଶ୍ନବାଚି ହୋଇ ରହିଯାଇଛି। ସୂଚନାଯୋଗ୍ୟ, ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ଶନିବାର ମଧ୍ୟ ରାତ୍ରିରେ ପୂରଣ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଏଠାରେ କୌଣସି ଦଳ ସରକାର ଗଠନ କରିପାରି ନାହାନ୍ତି।

Share