Categories: ଜାତୀୟ

ସରକାର ଗଠନ ଦାବି ଜଣାଇଲେ ଜଗନ୍‌ମୋହନ

ହାଇଦ୍ରାବାଦ,୨୬ା୫(ପି.ଟି.): ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ଅଧ୍ୟକ୍ଷ ଓ୍ବାଇ.ଏସ୍‌. ଜଗନ୍‌ମୋହନ ରେଡ୍ଡୀ ଶନିବାର ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ରାଜ୍ୟପାଳ ଇଏସ୍‌ଏଲ୍‌ ନରସିଂହଙ୍କୁ ଭେଟି ଆନ୍ଧ୍ରରେ ସରକାର ଗଠନ ଲାଗି ଦାବି ଜଣାଇଛନ୍ତି। ଏହା ପୂର୍ବରୁ ବିଜୟଓ୍ବାଡାରେ ନବନିର୍ବାଚିତ ଓ୍ବାଇଏସ୍‌ଆର୍‌ସି (ଯୁବଜନ ଶ୍ରମିକ ରିଥୁ କଂଗ୍ରେସ) ବିଧାୟକ ଦଳର ବୈଠକ ବସି ଜଗନଙ୍କୁ ସର୍ବସମ୍ମତିକ୍ରମେ ଏହାର ନେତା ନିର୍ବାଚିତ କରାଯାଇଥିଲା। ସେଠାରୁ ସେ ବିମାନ ଯୋଗେ ହାଇଦ୍ରାବାଦ ଯାଇ ଅପରାହ୍ନ ୪ଟା ୩୦ ମିନିଟରେ ରାଜ୍ୟପାଳଙ୍କୁ ଭେଟିଥିଲେ। ଏହା ପରେ ସେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଭେଟିଥିବା ଜଣାପଡିଛି। ୧୭୫ ଆସନ ବିଶିଷ୍ଟ ଆନ୍ଧ୍ରପ୍ରଦେଶ ବିଧାନସଭାରେ ଓ୍ବାଇଏସ୍‌ଆର କଂଗ୍ରେସ ୧୫୧ ଆସନରେ ବିଜୟୀ ହୋଇଥିବା ବେଳେ ଏନ୍‌. ଚନ୍ଦ୍ରାବାବୁ ନାଇଡୁଙ୍କ ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ଶୋଚନୀୟ ପରାଜୟବରଣ କରିଛି। ନେତା ନିର୍ବାଚିତ ହେବା ପରେ ଜଗନ୍‌ମୋହନ ବିଧାୟକମାନଙ୍କୁ ଧନ୍ୟବାଦ ଜଣାଇବା ସହ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ମେ ୩୦ରେ ଇନ୍ଦିରା ଗାନ୍ଧୀ ମ୍ୟୁନିସିପାଲ ଷ୍ଟାଡିୟମରେ ଜଗନ୍‌ମୋହନଙ୍କ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଥିଲା।

Share