Categories: ଜାତୀୟ

ସରକାର କିଣାବିକା ହେଉଛି: କେଜ୍‌ରିଓ୍ବାଲ

ଭୋପାଳ, ୧୫ା୩: ଚଳିତ ବର୍ଷ ଶେଷ ଭାଗରେ ରାଜସ୍ଥାନ ଓ ମଧ୍ୟପ୍ରଦେଶ ନିର୍ବାଚନ ହେବାକୁ ଥିବାବେଳେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ ତାଙ୍କ ପଞ୍ଜାବ ପ୍ରତିପକ୍ଷ ଭଗଓ୍ବନ୍ତ ମାନ୍‌ ଦୁଇଦିନ ହେଲା ଉକ୍ତ ରାଜ୍ୟରେ ପ୍ରଚାର ଚଳାଇଛନ୍ତି। ସୋମବାର ସେମାନେ ରାଜସ୍ଥାନରେ ଏକ ରାଲିରେ ଯୋଗଦେଇଥିବାବେଳେ ମଙ୍ଗଳବାର ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ସଭା କରିଛନ୍ତି। ଏଏପି ରାଜସ୍ଥାନର ସମସ୍ତ ୨୦୦ ଆସନ ଏବଂ ମଧ୍ୟପ୍ରଦେଶର ୨୩୦ ଆସନରେ ପ୍ରାର୍ଥୀ ଦେବ ବୋଲି କେଜ୍‌ରିଓ୍ବାଲ ଘୋଷଣା କରିଛନ୍ତି। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଦଳବଦଳ ଯୋଗୁ ମଧ୍ୟପ୍ରଦେଶର କମଳନାଥ ସରକାର ଭାଙ୍ଗିଥିଲା। ଏଥିପାଇଁ କେଜ୍‌ରିଓ୍ବାଲ ଶାସକ ଭାଜପା ଏବଂ କଂଗ୍ରେସକୁ ଦାୟୀ କରିଛନ୍ତି। ଏଠାରେ ସରକାର କିଣାବିକା ହେଉଛନ୍ତି। ପ୍ରତି ନିର୍ବାଚନ ପରେ ଗୋଟିଏ ଦଳ ବିଧାୟକମାନଙ୍କୁ ବିକିବା ପାଇଁ ଆହ୍ବାନ ଦେଉଥିବାବେଳ ଅନ୍ୟ ଏକ ଦଳ ସେମାନଙ୍କୁ କିଣିବା ପାଇଁ ପ୍ରସ୍ତୁତ ହୋଇ ରହିଛି। ସେମାନେ ସମ୍ପୂର୍ଣ୍ଣ ବ୍ୟବସ୍ଥା ଏବଂ ଗଣତନ୍ତ୍ରକୁ ଏକ ବଜାରରେ ପରିଣତ କରିଦେଲେଣି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କୌଣସି ଦଳର ନାଁ ନ ନେଇ କହିଥିଲେ। ମଧ୍ୟପ୍ରଦେଶର ଜନସାଧାରଣ ନିରାଶ ହୋଇପଡ଼ିଲେଣି। ସେମାନେ ଯାହାକୁ ଭୋଟ ଦିଅନ୍ତୁ ନା କାହିଁକି ମାମା ସରକାର ଆସିବ ବୋଲି ସେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଲକ୍ଷ୍ୟକରି କହିଥିଲେ।

Share