ସରକାରୀ ହସ୍ପିଟାଲକୁ ଯାଆନ୍ତି କମ୍‌ ଲୋକ

ନୂଆଦିଲ୍ଲୀ,୬।୫: ଭାରତରେ ଏକ ତୃତୀୟାଂଶରୁ କମ୍‌ ଲୋକ ଚିକିତ୍ସା ପାଇଁ ସରକାରୀ ହସ୍ପିଟାଲ ଉପରେ ଭରସା କରନ୍ତି। ଅବଶିଷ୍ଟ ଲୋକେ ଘରୋଇ ହସ୍ପିଟାଲକୁ ପସନ୍ଦ କରିଥାନ୍ତି ବୋଲି ନ୍ୟାଶନାଲ ସାମ୍ପଲ୍‌ ସର୍ଭେ(ଏନଏସ୍‌ଏସ୍‌) ସ୍ବାସ୍ଥ୍ୟ ସେବା ପକ୍ଷରୁ ହୋଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ଦେଶର ୩୦.୧ ପ୍ରତିଶତ ଲୋକ ସରକାରୀ ହସ୍ପିଟାଲକୁ ଚିକିତ୍ସା ଲାଗି ଯାଇଥାନ୍ତି। ସେଥିମଧ୍ୟରେ ସହରାଞ୍ଚଳର ୨୬.୨ ପ୍ରତିଶତ ଏବଂ ଗ୍ରାମାଞ୍ଚଳର ୩୨.୫ ପ୍ରତିଶତ ଲୋକ ରହିଛନ୍ତି। ଅପରପକ୍ଷରେ ୪୨.୫ ପ୍ରତିଶତ ଲୋକ ଘରୋଇ କ୍ଲିନିକ୍‌କୁ ଚିକିତ୍ସା ପାଇଁ ଯାଇଥାନ୍ତି। ସେମାନଙ୍କ ମଧ୍ୟରେ ଗ୍ରାମାଞ୍ଚଳର ୪୧.୪ ପ୍ରତିଶତ ଏବଂ ସହରାଞ୍ଚଳର ୪୪.୩ ପ୍ରତିଶତ ଲୋକ ରହିଛନ୍ତି। ସେହିପରି ୨୩.୩ ପ୍ରତିଶତ ଘରୋଇ ହସ୍ପିଟାଲକୁ ଯାଇଥାନ୍ତି। ସେମାନଙ୍କ ମଧ୍ୟରୁ ସହରାଞ୍ଚଳର ୨୭.୩ ପ୍ରତିଶତ ଜନସାଧାରଣ ଏବଂ ଗ୍ରାମାଞ୍ଚଳର ୨୦.୮ ପ୍ରତିଶତ ଲୋକ ରହିଛନ୍ତି। ସେହିପରି ୩ ପ୍ରତିଶତ ଲୋକ ଇନଫର୍ମାଲ ସ୍ବାସ୍ଥ୍ୟ ସେବା ଉପରେ ଭରସା କରିଥାନ୍ତି। ସେମାନଙ୍କ ମଧ୍ୟରେ ସହରାଞ୍ଚଳର ୦.୯ ପ୍ରତିଶତ ଏବଂ ଗ୍ରାମାଞ୍ଚଳର ୪.୩ ପ୍ରତିଶତ ଜନସଂଖ୍ୟା ରହିଛନ୍ତି। ୧.୧ ପ୍ରତିଶତ ଲୋକ ଚିକତ୍ସା ପାଇଁ ଦାତବ୍ୟ ଅନୁଷ୍ଠାନ ଅବା ସ୍ବେଚ୍ଛାସେବୀ ସଂଗଠନ ଉପରେ ଭରସା କରିଥାନ୍ତି। ଗ୍ରାମାଞ୍ଚଳରେ ଏଭଳି ଲୋକଙ୍କ ସଂଖ୍ୟା ୦.୯ ପ୍ରତିଶତ ଥିବାବେଳେ ସହରାଞ୍ଚଳରେ ୧.୩ ପ୍ରତିଶତ ରହିଛି। ମୁଖ୍ୟତଃ ଗରିବଲୋକେ ସରକାରୀ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଉଥିବାବେଳେ ଆର୍ଥିକ ସ୍ବଚ୍ଛଳ ବର୍ଗ ଘରୋଇ ହସ୍ପିଟାଲରେ ଚିକିତ୍ସା କରିବାକୁ ଚାହୁଁଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ଦେଶର ବିଭିନ୍ନ ରାଜ୍ୟରେ ସରକାରୀ ହସ୍ପିଟାଲକୁ ଯାଉଥିବା ଲୋକଙ୍କ ମଧ୍ୟରେ ତୁଳନାତ୍ମକ ପ୍ରାର୍ଥକ୍ୟ ପରିଲକ୍ଷିତ ହୋଇଥାଏ। ଉତ୍ତରପ୍ରଦେଶ, ପଞ୍ଜାବ, ବିହାର, ହରିୟାଣା ଆଦି ରାଜ୍ୟରେ ଏକ ପଞ୍ଚମାଂଶ ଲୋକ ସରକାରୀ ହସ୍ପିଟାଲକୁ ଯାଇଥାନ୍ତି। ବିହାରରେ ୧୮ ପ୍ରତିଶତ ଲୋକ ସରକାରୀ ହସ୍ପିଟାଲକୁ ପସନ୍ଦ କରୁଥିବାବେଳେ ୬୫ ପ୍ରତିଶତ ଘରୋଇ ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ଯାଇଥାନ୍ତି। ସେହିପରି ୧୧ ପ୍ରତିଶତ ଲୋକ ଇନଫର୍ମାଲ ସ୍ବାସ୍ଥ୍ୟ ସେବା ଉପରେ ଭରସା କରିଥାନ୍ତି। ଏଭଳି ସ୍ବାସ୍ଥ୍ୟ ସେବା ଅତ୍ୟନ୍ତ ବିପଦ୍‌ଜନକ ହୋଇଥିଲେ ମଧ୍ୟ ଗରିବ ଲୋକ ପାଖରେ ଟଙ୍କାରେ ଅଭାବ ଯୋଗୁ ବାଧ୍ୟ ହୋଇ ଏହାର ସାହାରା ନେଇଥାନ୍ତି। କୌଣସି ଚିକିତ୍ସା ଲାଗି ଘରୋଇ ହସ୍ପିଟାଲରେ ମୋଟ ହାରାହାରି ଖର୍ଚ୍ଚ ୩୪,୫୫୧ ଟଙ୍କା ଥିବାବେଳେ ମେଡିକାଲ ଖର୍ଚ୍ଚ ୩୧,୮୪୬ ଟଙ୍କା ରହିଛି। ଅପରପକ୍ଷରେ ଦାତବ୍ୟ ଅନୁଷ୍ଠାନରେ ମୋଟ ହାରାହାରି ଖର୍ଚ୍ଚର ପରିମାଣ ୨୭, ୩୪୬ ଥିବାବେଳେ ମେଡିକାଲ ଖର୍ଚ୍ଚ ୨୪,୪୫୪ ଟଙ୍କା ରହିଛି। ସେହିପରି ସରକାରୀ ହସ୍ପିଟାଲରେ ମୋଟ ହାରାହାରି ଖର୍ଚ୍ଚ ୬୦୫୦ ଟଙ୍କା ଥିବାବେଳେ ମେଡିକାଲ ଖର୍ଚ୍ଚର ପରିମାଣ ୪୪୫୨ ଟଙ୍କା ରହିଛି। ସରକାରୀ ହସ୍ପିଟାଲରେ ଉନ୍ନତ ଚିକିତ୍ସା ସେବା ଅଭାବ ଏବଂ ଲମ୍ବା ଲାଇନ୍‌ରେ ଅଧିକ ସମୟ ଛିଡ଼ା ହେବାକୁ ପଡୁଥିବାରୁ ଲୋକେ ଏଠାକୁ ଆସିବାକୁ ପସନ୍ଦ କରି ନ ଥାନ୍ତି। କେତେକ ସରକାରୀ ହସ୍ପିଟାଲରେ ଆଧୁନିକ ଚିକିତ୍ସା ଉପକରଣ ନ ଥିବାରୁ ଲୋକ ଚିକିତ୍ସା ଲାଗି ଘରୋଇ ହସ୍ପିଟାଲକୁ ପ୍ରାଧାନ୍ୟ ଦେଉଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି।

Share