ସରକାରୀ ସହାୟତା ଦାବିକଲେ ଗାଡ଼ିଚାଳକ, ହେଲ୍‌ପର

ଦିଗପହଣ୍ଡି,୯ା୫(ଡି.ଏନ୍‌.ଏ.) : କରୋନା ପ୍ରତିହତ ପାଇଁ ସମଗ୍ର ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାଦ୍ୱାରା ସମସ୍ତେ ପ୍ରଭାବିତ ହୋଇଛନ୍ତି। ଦିଗପହଣ୍ଡି ଅଞ୍ଚଳରେ ଥିବା ଗାଡ଼ିଚାଳକ ଓ ହେଲପରମାନେ ନାନା ଦୁର୍ଦ୍ଦଶା ମଧ୍ୟରେ ଗତି କରୁଛନ୍ତି। ତେଣୁ ସେମାନଙ୍କୁ ସରକାରୀ ସହାୟତା ନିମନ୍ତେ ଶ୍ରମିକ ସଙ୍ଗଠନ ଅଖିଳ ଭାରତ ଟ୍ରେଡ ୟୁନିୟନ କଂଗ୍ରେସ (ଏଆଇଟିୟୁସି) ଗଞ୍ଜାମ ଜିଲା ସମ୍ପାଦକ ଅଳକ ନାଥ ମିଶ୍ର ଦାବି କରିଛନ୍ତି। ଦିଗପହଣ୍ଡି ବସ୍‌ଷ୍ଟାଣ୍ଡ ନିକଟ ଶ୍ରମିକ ସଙ୍ଗଠନ ଏଆଇଟିୟୁସି କାର୍ଯ୍ୟାଳୟରୁ ସ୍ଥାନୀୟ ଖେମୁଣ୍ଡି ମିନିବସ୍‌ ଗାଡି ଚାଳକ ଓ ହେଲପର ସଂଘର ସମସ୍ତ କର୍ମକର୍ତ୍ତା, ସଦସ୍ୟ ନିରବ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ତହସିଲ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ। ସାମାଜିକ ଦୂରତ୍ୱ ଅବଲମ୍ବନ ପୂର୍ବକ ସେମାନେ ତହସିଲଦାର ଅଦୈତ କୁମାର ସ୍ବାଇଁଙ୍କୁ ସାକ୍ଷାତ କରି ସରକାରୀ ସହାୟତା ନିମନ୍ତେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ। ପରେ ରାଜ୍ୟ ବିଧାନସଭା ବାଚସ୍ପତି, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ, ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର, ଗଞ୍ଜାମ ଜିଲାପାଳ,ବ୍ରହ୍ମପୁର ଉପଜିଲାପାଳ, ଦିଗପହଣ୍ଡି ବିଡିଓ, ଏନ୍‌ଏସି ନିର୍ବାହୀଅଧିକାରୀଙ୍କୁ ସ୍ମାରକପତ୍ରର ଅବିକଳ ନକଲ ଡାକ ଯୋଗେ ପ୍ରେରଣ କରାଯାଇଥିବା ନେଇ ଗାଡ଼ିଚାଳକ ଓ ହେଲପର ସଂଘର ସମ୍ପାଦକ ହରିକୃଷ୍ଣ ଗୌଡ଼, କର୍ମକର୍ତ୍ତା ଗୋବିନ୍ଦ ନନ୍ଦ, ସନ୍ତୋଷ ବେହେରା, ସୁରେନ୍ଦ୍ର ସାହୁ, ମନୋଜ ଗୌଡ଼ ପ୍ରମୁଖ ଜଣାଇଛନ୍ତି।