Categories: ରାଜ୍ୟ

ସରକାରୀ ଯୋଜନାରୁ ବଞ୍ଚିତ ୯ ହିତାଧିକାରୀ: ଆବେଦନ ସତ୍ତ୍ୱେ ମିଳୁନି ଭତ୍ତା

ବଅଁରପାଳ, ୩୧।୫ (ଡି.ଏନ୍‌.ଏ.) – ସରକାର ବୃଦ୍ଧା, ବୃଦ୍ଧ, ସ୍ବାମୀହରା ଓ ଭିନ୍ନକ୍ଷମମାନଙ୍କୁ ଭତ୍ତା ଦେବାର ବ୍ୟବସ୍ଥା କରିଛନ୍ତି। ହେଲେ ଅନେକ ସମୟରେ ଏହି ଯୋଜନାରେ ସାମିଲ ହେବାକୁ ବହୁ ବ୍ୟକ୍ତିଙ୍କ ଯୋଗ୍ୟତା ଥିଲେ ବି ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ଅବହେଳା ଯୋଗୁ ସେମାନଙ୍କୁ ବଞ୍ଚତ୍ତ ହେବାକୁ ପଡ଼ୁଛି। ଭତ୍ତା ଆଶାରେ ସେମାନେ ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ ବ୍ଲକ ପର୍ଯ୍ୟନ୍ତ ଦୌଡ଼ୁଥିଲେ ମଧ୍ୟ ହିତାଧିକାରୀ ହୋଇପାରୁ ନାହାନ୍ତି। ବଅଁରପାଳ ବ୍ଲକ ବଳରାମପ୍ରସାଦ ସିତୁରା ସାହିରେ ରହୁଥିବା ୯ଜଣ ବୃଦ୍ଧା, ବୃଦ୍ଧ ଓ ସ୍ବାମୀହରା ସରକାରଙ୍କ ଏହି ଯୋଜନାରୁ ବଞ୍ଚତ୍ତ ହୋଇଥିବା ଅଭିଯୋଗ ହୋଇଛି।
ସାହିର ଚଞ୍ଚଳା ପ୍ରଧାନ। ବୟସ ୬୦ ବର୍ଷ। ସ୍ବାମୀ ପ୍ରଫୁଲ୍ଲ ପ୍ରଧାନ ଦୁଇ ବର୍ଷ ହେଲା ମୃତ୍ୟୁବରଣ କରିଛନ୍ତି। କିନ୍ତୁ ବାରମ୍ବାର ଆବେଦନ ପରେ ବି ଚଞ୍ଚଳାଙ୍କୁ ବିଧବା ଭତ୍ତା ମିଳିନାହିଁ। ସାହିର ମାନି ଗୋଚ୍ଛାୟତଙ୍କୁ ୬୦ ଟପିଲାଣି। ତାଙ୍କ ସ୍ବାମୀ ହେମନ୍ତ ଗୋଚ୍ଛାୟତଙ୍କ ଦେଢ଼ ବର୍ଷ ହେବ ମୃତ୍ୟୁ ହୋଇଛି। ତାଙ୍କ ଆଖିକୁ ମଧ୍ୟ ଦେଖାଯାଉନି। ସେ ଭିନ୍ନକ୍ଷମ ସାଙ୍ଗକୁ ବିଧବା ହୋଇଥିଲେ ମଧ୍ୟ ଭତ୍ତାରୁ ବଞ୍ଚତ୍ତ ହୋଇଛନ୍ତି। ସେହିପରି ସୋମନାଥ ବେହେରା(୬୫), କୁମର ଦେହୁରୀ(୭୦), କାଳିଆ ଦେହୁରୀ(୬୫), ଗେହ୍ଲେଇ ପ୍ରଧାନ(୭୦), ସୌଦା ପ୍ରଧାନ(୬୫), କ୍ଷୀରି ମାଝି(୬୦)ଙ୍କ ମଧ୍ୟ ଏଯାଏ ଭତ୍ତା ଯୋଜନାରେ ସାମିଲ କରାଯାଇ ନାହିଁ। ବାରମ୍ବାର ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟକୁ ଯାଇ ଆବେଦନ କରିଥିଲେ ବି ଭତ୍ତା ମିଳିପାରୁ ନ ଥିବାରୁ ସେମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିଡିଓ ସ୍ବରୂପାନନ୍ଦ ସାହୁଙ୍କ ଫୋନ ନ ଲାଗିବାରୁ ମତାମତ ମତାମତ ମିଳିପାରିନାହିଁ। ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ରଶ୍ମି ରେଖା କହିଛନ୍ତି, ହିତାଧିକାରୀମାନେ ପୁନଶ୍ଚ ବ୍ଲକ କାର୍ଯ୍ୟାଳୟରେ ଦରଖାସ୍ତ ଆବେଦନ କରନ୍ତୁ। ନିଶ୍ଚିତ ସେମାନଙ୍କୁ ଭତ୍ତା ପ୍ରଦାନ କରାଯିବ।