ସରକାରୀ ଭ୍ରାମ୍ୟମାଣ ଆମ୍ବ ଦୋକାନରେ ପାଳନ ହେଉନି ସାମାଜିକ ଦୂରତ୍ୱ

କେନ୍ଦୁଝର,୧୧।୬(ସ୍ବ.ପ୍ର.): ସରକାରଙ୍କ ଓରମାସ ସଂସ୍ଥା ପକ୍ଷରୁ ଆରମ୍ଭ ହୋଇଛି ଭ୍ରାମ୍ୟମାଣ ଆମ୍ବ ବିକ୍ରି ବ୍ୟବସ୍ଥା। ଲୋକଙ୍କୁ ସୁଲଭ ମୂଲ୍ୟରେ ବିଭିନ୍ନ ପ୍ରକାରର ଆମ୍ବ ଯୋଗାଇ ଦିଆଯାଉଛି। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏହି ବିକ୍ରି ଚାଲିଥିବା ଜଣାପଡ଼ିଛି। ତେବେ ଏହି ବିକ୍ରି ସମୟରେ କରୋନା କଟକଣାକୁ ପାଳନ କରାଯାଉ ନ ଥିବା ଦେଖିବାକୁ ମିଳିଛି। ବିନା ମାସ୍କରେ ଆସୁଥିବା ଲୋକଙ୍କୁ ଆମ୍ବ ବିକ୍ରି କରାଯାଉଥିବା ବେଳେ ସାମାଜିକ ଦୂରତ୍ୱ ନିୟମ ମଧ୍ୟ ପାଳନ ହେଉ ନ ଥିବା ଅଭିଯୋଗ ହୋଇଛି। ଖୋଦ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୋଭିଡ-୧୯ ନିୟମ ପାଳନ ହେଉ ନ ଥିବା ବେଳେ ବହାରେ ଓ ଅନ୍ୟ ସ୍ଥାନରେ କିପରି ଏହି ଆଇନ ଖୋଲାଖୋଲି ଉଲ୍ଲଂଘନ ହେଉଥିବା ତାହା ଏଥିରୁ ସ୍ପଷ୍ଟ ବାରି ହୋଇପଡ଼ୁଛି।