ସରକାରୀ ପିଆଜ ଦର ଦର୍ଶାଇଲା ବିଭାଗ

ଭୁବନେଶ୍ୱର,୯ା୧୧(ବ୍ୟୁରୋ): ରାଜ୍ୟରେ ପିଆଜ ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। କିଛିଦିନ ତଳେ ସମାନ ସ୍ଥିତି ଉପୁଜିବା କାରଣରୁ ଲୋକଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ଏଥିଲାଗି ସରକାରଙ୍କୁ ଚାରିଆଡୁ ସମାଲୋଚନାର ଶିକାର ହେବାକୁ ମଧ୍ୟ ପଡିଥିଲା। ଏହାର ଦିନ କେଇଟା ପରେ ପୁନର୍ବାର ପିଆଜ ଦର ବୃଦ୍ଧି ପାଇବା ଯୋଗୁ ଲୋକଙ୍କ ସମସ୍ୟା ବଢାଇଦେଇଛି। ଫଳରେ ପିଆଜ ଦର ନିୟନ୍ତ୍ରିତ ରଖିବା ପାଇଁ ସରକରଙ୍କ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଚାଷୀଙ୍କଠାରୁ ପିଆଜ କିଣି ବିନା ଲାଭ, ବିନା କ୍ଷତିରେ ଲୋକଙ୍କୁ ପହଞ୍ଚାଇବା ଲାଗି ୨ଦିନ ତଳେ ସରକାର ଜିଲାପାଳ ଏବଂ ଜିଲା ଖାଦ୍ୟ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶୁକ୍ରବାର ଯୋଗାଣ ବିଭାଗ ପିଆଜ ଦର କେଉଁଠାରେ କେତେ ଟଙ୍କାରେ ଯୋଗାଯାଉଛି ତା’ର ରିପୋର୍ଟ ପ୍ରଦାନ କରିଛିି। ସରକାରୀ ରିପୋର୍ଟ ଅନୁଯାୟୀ, କଟକରେ କିଲୋ ପିଛା ୪୯ ଟଙ୍କା, ଅନୁଗୋଳରେ ୫୫ଟଙ୍କା, ସମ୍ବଲପୁରରେ ୫୨ଟଙ୍କା, ବଲାଙ୍ଗୀରରେ ୫୫ଟଙ୍କା, ଝାରସୁଗୁଡ଼ାରେ ୫୮ ଟଙ୍କା, ଖୋର୍ଦ୍ଧାରେ ୫୦ଟଙ୍କା, ବାରିପଦାରେ ୫୦ ଟଙ୍କା, ଢେଙ୍କାନାଳରେ ୪୮ ଟଙ୍କା, ଭଦ୍ରକରେ ୪୮ ଟଙ୍କା, ନୂଆପଡ଼ାରେ ୫୦ ଟଙ୍କା, ଜୟପୁରରେ ୫୨ ଟଙ୍କା, ବ୍ରହ୍ମପୁରରେ ୪୨ ଟଙ୍କା, ଭବାନୀପାଟଣାରେ ୫୫ଟଙ୍କା, ବାଲେଶ୍ବରରେ ୫୨ଟଙ୍କା, କେନ୍ଦ୍ରାପଡ଼ାରେ ୫୫ଟଙ୍କା, କେନ୍ଦୁଝରରେ ୫୨ଟଙ୍କା ଏବଂ ରାୟଗଡ଼ାରେ କେଜି ପ୍ରତି ୪୩ ଟଙ୍କାରେ ପିଆଜ ବିକ୍ରି କରାଯାଉଛି ବୋଲି ବିଭାଗ ସୂଚନା ଦେଇଛି। ସୂଚନାଯୋଗ୍ୟ ଯେ, ସରକାର ବିନା କ୍ଷତି ଓ ଲାଭରେ ସୁଲଭ ମୂଲ୍ୟ ଦୋକାନ ଏବଂ ମୈତ୍ରୀ ଷ୍ଟୋରରେ ପିଆଜ ବିକ୍ରି କରିବା ପାଇଁ କହିଛନ୍ତି। ଗୁରୁବାରଠାରୁ ଜିଲାଗୁଡ଼ିକରେ ସୁଲଭ ମୂଲ୍ୟ ଦୋକାନରେ ପିଆଜ ବିକ୍ରି ଆରମ୍ଭ ହୋଇଛି।