ସରକାରୀ ନିର୍ଦ୍ଦେଶ ପାଳନ ନେଇ ଆଶଙ୍କା

ରାଉରକେଲା ଅଫିସ,୧୫ା୪: ଛାତ୍ରୀଛାତ୍ରୀଙ୍କ ଘରେ ବହି ପହଞ୍ଚାଇବାକୁ ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏ ନେଇ ଗତ ୧୪ରେ ସୁନ୍ଦରଗଡ ଜିଲା ସମଗ୍ର ଶିକ୍ଷା ବିଭାଗ ପକ୍ଷରୁ ବ୍ଲକ ଶିକ୍ଷାଧିକାରୀମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ସରକାରୀ ସ୍କୁଲର ଶିକ୍ଷକମାନେ ଘରେ ଘରେ ବୁଲି ବହି ପହଞ୍ଚାଇବେ। ଏଥିରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ହେଲେ ଏହାକୁ ନେଇ ଚିନ୍ତାରେ ପଡିଛନ୍ତି ଶିକ୍ଷକ। ସୁନ୍ଦରଗଡ ଜିଲା ଏକ ଆଦିବାସୀ ଅଞ୍ଚଳ। ଏଠାରେ ବଣ ପାହାଡ ଘେରା ଗଁା। ଅପହଞ୍ଚ ଅଞ୍ଚଳରେ କେମିତି ପୁସ୍ତକ ବଣ୍ଟାଯିବ ସେନେଇ ଅଡୁଆରେ ପଡିଛନ୍ତି ଶିକ୍ଷୟିତ୍ରୀ, ଶିକ୍ଷକ। ସରକାର କଥାଟା ଯେତେ ସହଜ ମନେ କରୁଛନ୍ତି ବାସ୍ତବରେ ଏହା ସେତେ ସହଜ ନୁହେଁ ବୋଲି ଶିକ୍ଷକଙ୍କ ମତ। ପ୍ରଥମତଃ ବିଦ୍ୟାଳୟ ଖୋଲି ଛାତ୍ରୀଛାତ୍ରଙ୍କ ଠିକଣା ଖୋଜିବାକୁ ପଡିବ। ସେହି ଅନୁସାରେ ଉକ୍ତ ଗଁାକୁ ଯାଇ ପିଲାଙ୍କୁ ବହି ଦେବାକୁ ହେବ। ଏମିତି ଗଁା ଅଛି ଯେଉଁଠି ମାତ୍ର ଜଣେ କି ୨ଜଣ ପିଲା ବିଦ୍ୟାଳୟକୁ ଆସନ୍ତି। ସେଠିକୁ ମଧ୍ୟ ଯିବାକୁ ହେବ। ଏଣୁ ପୁସ୍ତକ ବଣ୍ଟନ ପ୍ରକ୍ରିୟା ବାଧା ସୃଷ୍ଟି କରିବ। ସରକାରଙ୍କ ଏଭଳି ବିଚାରଧାରା ପ୍ରତି ଅନେକ ଶିକ୍ଷକ ସହମତ ହୋଇ ପାରି ନାହାନ୍ତି। ତେବେ ନିଜର ପେଟପାଟଣା ପାଇଁ ଅନେକ ଶିକ୍ଷକ ଖୋଲାଖୋଲା କିଛି ବି କହିବାକୁ ମନା କରିଛନ୍ତି। ସେହିଭଳି ବିଭାଗୀୟ ଅଧିକାରୀମାନେ ମଧ୍ୟ ନାଁ ପ୍ରକାଶ ନ କରିବାକୁ ଅନୁରୋଧ କରି କହିଛନ୍ତି ଯେ, ଏହା ସରକାରଙ୍କ ନିର୍ଦ୍ଦେଶ। ପାଳନ କରିବାକୁ ହେବ। ଏଥିରେ ସେମାନଙ୍କ କିଛି କହିବାର ନାହିଁ ବୋଲି କହିଛନ୍ତି।