ସରକାରୀ ଜମି ଜବରଦଖଲ ବିବାଦ ତେଜିଲା:କାର୍ଯ୍ୟାନୁଷ୍ଠାନ ଦାବି

ଢେଙ୍କାନାଳ ଅଫିସ, ୧୧।୫- ଢେଙ୍କାନାଳ ତହସିଲ ଅଧୀନ ଭଗବାନପୁର ସୁନ୍ଦରିଖାଲ ନିକଟରେ ସରକାରୀ ଜାଗା ଜବରଦଖଲକୁ ନେଇ କେନ୍ଦ୍ରକରି ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ଉଭୟ ଗୋଷ୍ଠୀ ପରସ୍ପରକୁ ଆରୋପ ପ୍ରତ୍ୟାରୋପ କରୁଥିବାବେଳେ ମାମଲା ଜଟିଳ ହେବାରେ ଲାଗିଛି। ପ୍ରଶାସନ ଏଥିରେ ହସ୍ତକ୍ଷେପ କରିବାକୁ ଉଭୟ ଗୋଷ୍ଠୀ ଦାବି  କରିଛନ୍ତି।

ସୂଚନାଯୋଗ୍ୟ, ମେ ୬ରେ ସରକାରୀ ଜାଗା ଜବରଦଖଲକୁ ନେଇ ଗ୍ରାମର ଗୋଟିଏ ଗୋଷ୍ଠୀ ଅପର ଗୋଷ୍ଠୀ ବିରୋଧରେ ରାସ୍ତାକୁ ଓହ୍ଲାଇଥିଲା। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉକ୍ତ ସମୟରେ ଦାବି ଉଠିଥିଲା। ଏହାର ଠିକ୍‌ ୪ଦିନ ପରେ ଭୂମିହୀନ ପ୍ରଜାସଂଘ ପକ୍ଷରୁ ଜିଲାରେ ଜମିମାଫିଆଙ୍କ ଆକ୍ରମଣ ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି। ଏ ନେଇ ଶୁକ୍ରବାର ଜିଲାପାଳ ଏବଂ ଏସ୍‌ପିଙ୍କୁ ଲିଖିତ ଭାବେ ଅବଗତ କରାଯାଇଛି। ସେହିପରି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଲାଞ୍ଚଖୋର କର୍ମଚାରୀଙ୍କ ଉପରକୁ ଆଙ୍ଗୁଠି ଉଠାଇଛି ସଂଘ।  କେତେଜଣ କର୍ମଚାରୀ ଜମିମାଫିଆଙ୍କ ହାତବାରିସି ସାଜି ବେଆଇନ କାର୍ଯ୍ୟକୁ ପ୍ରଶ୍ରୟ ଦେଉଥିବା କର୍ମକର୍ତ୍ତାମାନେ ଅଭିଯୋଗ କରିଛନ୍ତି, ଯାହା ତଦନ୍ତ ସାପେକ୍ଷ। ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ  ରୁଦ୍ରାନ୍ତ କୁମାର ଦଳେଇ, ପ୍ରଦ୍ୟୁମ୍ନ କୁମାର ନାୟକ, ଅନିଲ ରାଉତ, ପ୍ରଶାନ୍ତ ଜେନା, ଶୁଭଲକ୍ଷ୍ମୀ ସାହୁ, ରୀତା ନାଏକ ପ୍ରମୁଖ ବହୁ ଅଞ୍ଚଳବାସୀ ଜିଲାପାଳ ଓ ଏସ୍‌ପିଙ୍କୁ ଫେରାଦ ହୋଇଛନ୍ତି।