ସରକାରଙ୍କ ୧୨ଘଣ୍ଟିଆ କାର୍ଯ୍ୟଦିବସ ବୃଦ୍ଧି ନେଇ ଏଆଇଟିୟୁସି ମୌନ ପ୍ରତିବାଦ

ବଡ଼ବିଲ,୧୧।୫(ସ୍ବ.ପ୍ର.): ରାଜ୍ୟ ସରକାରଙ୍କ ପକ୍ଷରୁ ଦୈନିକ ଶ୍ରମ ସମୟ ୮ଘଣ୍ଟାରୁ ୧୨ଘଣ୍ଟାକୁ ବୃଦ୍ଧି କରାଯାଇଛି। ଏହାକୁ କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ଏଆଇଟିୟୁସି କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକ ସଙ୍ଗଠନ ପକ୍ଷରୁ ସୋମବାର ମୌନ ପ୍ରତିବାଦ କରାଯାଇଛି। ଶ୍ରମିକ ନେତା କପିଳ ମହାନ୍ତିଙ୍କ ନେତୃତ୍ୱରେ ଏହି ପ୍ରତିବାଦ ହୋଇଥିବାବେଳେ ରାଜ୍ୟ ସରକାରଙ୍କ ତରଫରୁ ନିଆଯାଇଥିବା ଏହି ପଦକ୍ଷେପକୁ ସମ୍ପୂର୍ଣ୍ଣ ଅଗଣତାନ୍ତ୍ରୀକ ଓ ଅସମ୍ବିଧାନିକ ବୋଲି ଏଆଇଟିୟୁସି ଅଭିଯୋଗ କରିଛି। ଫ୍ୟାକ୍ଟ୍ରି ଆକ୍ଟ ୧୯୪୮ ଅନୁଯାୟୀ ଶ୍ରମ ସମୟ ୮ଘଣ୍ଟା ସ୍ଥିର କରାଯାଇଥିବାବେଳେ ୧୨ ଘଣ୍ଟାକୁ ବୃଦ୍ଧି କରିବା ବେକାରୀ ସମସ୍ୟାକୁ ଆହୁରି ବଢ଼ାଇବ ବୋଲି ଆନ୍ଦୋଳନକାରୀ ଯୁକ୍ତି ବାଢିଛନ୍ତି। ଏହାକୁ ତୁରନ୍ତ ପ୍ରତ୍ୟାହାର ପାଇଁ ଶ୍ରମିକ ସଙ୍ଗଠନ ଦାବି କରିଛି। ଲକ୍‌ଡାଉନର ନିୟମକୁ ଅନୁପାଳନ କରି ସୀମିତ ଶ୍ରମିକଙ୍କୁ ନେଇ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ଅବଲମ୍ବନ କରି ଏହି ପ୍ରତିବାଦ କରାଯାଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ହୃଦାନନ୍ଦ ପ୍ରଧାନ, କ୍ଷୀରୋଦ ମହାନ୍ତ, ତପନ ବାରିକ, ଇନ୍ଦ୍ରା ଶର୍ମା ଓ ଚୌଧୁରୀ ଖିଲାର ପ୍ରମୁଖଙ୍କ ସହ ଅନ୍ୟ ଶ୍ରମିକମାନେ ଉପସ୍ଥିତ ରହିଥିଲେ।