Categories: ଜାତୀୟ

ସରକାରଙ୍କ ନିଷ୍ପତ୍ତି ନିବେଶ ବଢ଼ାଇବ: ଭେଙ୍କାୟା ନାଇଡୁ

ନୂଆଦିଲ୍ଲୀ,୧୨ା୧୧: କେନ୍ଦ୍ର ସରକାର ନିକଟରେ ନେଇଥିବା କେତେକ ପଦକ୍ଷେପ ନିବେଶ ବଢ଼ାଇବ ବୋଲି ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡୁ କହିଛନ୍ତି। ସରକାରଙ୍କ ସଂସ୍କାରମୂଳକ ପଦକ୍ଷେପ ଯୋଗୁ ଅଧିକ ପୁଞ୍ଜି ଆକର୍ଷିତ ହେବା ସହ ଆଗାମୀ ମାସରେ ଜିଡିପି ଅଭିବୃଦ୍ଧି ତ୍ୱରାନ୍ବିତ ହେବ ବୋଲି ଆସୋଚାମ୍‌ ଜେଆର୍‌ଡି ଟାଟା ମେମୋରିଆଲ ବକ୍ତୃତା ସମାରୋହରେ ଉଦ୍‌ବୋଧନ ଦେଇ ଭେଙ୍କାୟା କହିଛନ୍ତି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତର ଜିଡିପି ଅଭିବୃଦ୍ଧି ୫ ପ୍ରତିଶତକୁ ଖସିଆସିଥିଲା, ଯାହାକି ୬ ବର୍ଷ ମଧ୍ୟରେ ସର୍ବନିମ୍ନ। ଜେଆର୍‌ଡି ଟାଟା ଭାରତୀୟ ଶିଳ୍ପଜଗତରେ କେବଳ ଜଣେ ଆଗଧାଡିର ଶିଳ୍ପପତି ନୁହନ୍ତି, ଜଣେ ଦୂରଦୃଷ୍ଟିସମ୍ପନ୍ନ ନେତା ଥିଲେ। ସେ ଭାରତର ଅଭିବୃଦ୍ଧିର ସ୍ବପ୍ନ ଦେଖିଥିଲେ। ରାଷ୍ଟ୍ର ଗଠନରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଥିଲା ବୋଲି ଉପରାଷ୍ଟ୍ରପତି କହିଛନ୍ତି। ସରକାରଙ୍କ ବିଭିନ୍ନ ବିକାଶମୂଳକ ପଦକ୍ଷେପ ଯୋଗୁ ଭାରତ ଆଗାମୀ ୧୦ ବର୍ଷରେ ଏକ ଅଗ୍ରଣୀ ଅର୍ଥନୀତିରେ ପରିଣତ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

Share