ସରକାରଙ୍କ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ ସେଲୁନ୍‌, ବିୟୁଟିପାର୍ଲର

ଭୁବନେଶ୍ୱର,୧୯।୩(ବ୍ୟୁରୋ): ଯଦି କୌଣସି ସରକାରୀ କର୍ମଚାରୀଙ୍କଠାରେ କାଭିଡ-୧୯ର କୌଣସି ଲକ୍ଷଣ ଦେଖାଯାଉଛି ସେ କ୍ୱାରାଣ୍ଟାଇନ୍‌ରେ ୧୪ ଦିନ ଘରେ ରହିପାରିବେ। ଏଥିପାଇଁ ସେମାନଙ୍କୁ ଉପରିସ୍ଥ ଅଧିକାରୀଙ୍କଠାରୁ ଅନୁମତି ନେବାକୁ ପଡ଼ିବ। ଯଦି ତାଙ୍କର କୌଣସି ସମ୍ପର୍କୀୟ ବିଦେଶରୁ ଆସିଛନ୍ତି ତେବେ ୪ ଏପ୍ରିଲ ପର୍ଯ୍ୟନ୍ତ ସେଲ୍ଫ କ୍ୟାରାଣ୍ଟାଇନ୍‌ ରହିବାକୁ ପରାମର୍ଶ ଦିଆଯାଉଛି। ସେହିଭଳି ଜେଲରେ ମଧ୍ୟ ପରିଷ୍କାର କୋଠରୀରେ ଆଇସୋଲେଶନ୍‌ ସ୍ଥାନ କରି ରଖିବା ପାଇଁ କୁହାଯାଇଛି ବୋଲି ଗୁରୁବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।

ବାଗ୍‌ଚୀ ଆହୁରି ମଧ୍ୟ କହିଛନ୍ତି, ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ଥିବା ସମସ୍ତ ବଡ଼ ସେଲୁନ୍‌, ବିୟୁଟିପାର୍ଲର ବନ୍ଦ କରି ଦିଆଯିବ। ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେଗୁଡ଼ିକ ବନ୍ଦ ରହିବ। କୌଣସି ସାମାଜିକ ଅନୁଷ୍ଠାନ, ମ୍ୟୁଜିୟମ, ଲାଇବ୍ରେରୀ, ଥିଏଟରକୁ କେହି ବି ଯାଇପାରିବେ ନାହିଁ। ସେହିଭଳି ପୋଖରୀରେ ଗାଧୋଇବା ବନ୍ଦ କରାଯାଉ ବୋଲି ସେ କହିଛନ୍ତି।