Categories: ଜାତୀୟ

ସମ୍ବିତ୍‌ଙ୍କ ନାଁରେ ମାନହାନି ମାମଲା

କଲ୍ୟାଣ,୧୩ା୫: ଭାଜପା ମୁଖପାତ୍ର ସମ୍ବିତ୍‌ ପାତ୍ରଙ୍କ ବିରୋଧରେ ମହାରାଷ୍ଟ୍ରର ଜଣେ କଂଗ୍ରେସ ନେତା ମାନହାନି ମାମଲା ଦାଏର କରିଛନ୍ତି। ସମ୍ବିତ୍‌ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଓ ରାଜୀବ ଗାନ୍ଧୀଙ୍କ ବିରୋଧରେ ଟୁଇଟର୍‌ରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା। ଏନେଇ କଂଗ୍ରେସ ନେତା ବ୍ରଜକିଶୋର ଦତ୍ତ ମଙ୍ଗଳବାର କଲ୍ୟାଣସ୍ଥିତ ମହାତ୍ମା ଫୁଲେ ଥାନାରେ ଏତଲା ଦେଇଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ସମ୍ବିତ୍‌ ଉଦ୍ଦେଶ୍ୟମୂଳକ ଭାବେ ଦୁଇ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅପମାନଜନକ ଟୁଇଟ୍‌ କରିଥିଲେ।
ପ୍ରକାଶ ଯେ, ସମ୍ବିତ୍‌ ହିନ୍ଦୀରେ କରିଥିବା ତାଙ୍କର ସଦ୍ୟ ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, ଯଦି କରୋନା ଭାଇରସ୍‌ କଂଗ୍ରେସ ସମୟରେ ଆସିଥାଆନ୍ତା ତେବେ ୫,୦୦୦ କୋଟି ଟଙ୍କାର ମାସ୍କ ଘୋଟାଲା, ୭,୦୦୦ କୋଟିର କରୋନା ଟେଷ୍ଟ କିଟ୍‌ ଦୁର୍ନୀତି, ୨୦,୦୦୦ କୋଟିର ଜବାହର ସାନିଟାଇଜର୍‌ ଭ୍ରଷ୍ଟାଚାର ଓ ୨୬,୦୦୦ କୋଟି ଟଙ୍କାର ରାଜୀବ ଗାନ୍ଧୀ ଭାଇରସ୍‌ ରିସର୍ଚ୍ଚ ଘୋଟାଲା ହୋଇଥାନ୍ତା। ବ୍ରଜକିଶୋରଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ଦାଏର କରିଛି। ଇତିମଧ୍ୟରେ ସମ୍ବିତ୍‌ ପୁଣି ଏକ ଟୁଇଟ୍‌ କରି କହିଛନ୍ତି, ରାଜୀବ ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ପାଇଁ ଦାୟୀ ଥିଲେ ବୋଲି କହିବା କ’ଣ ଅପମାନ? ନା, ଏହା ଏକ ବାସ୍ତବତା। ଏବେ ଇନ୍ଦିରା ଗାନ୍ଧୀଙ୍କ ଜରୁରିକାଳୀନ ପରିସ୍ଥିତି ଚାଲିନାହିଁ। ତେଣୁ ଏଭଳି ଏଫ୍‌ଆଇଆର୍‌କୁ ନେଇ କିଛି ଘଟିବାକୁ ଯାଉନାହିଁ।

Share