Categories: ମେଟ୍ରୋ

ସମ୍ବଲପୁର ହାଜତ ମୃତ୍ୟୁ ମାମଲା : ଓଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ ପରେ କ୍ଷତିପୂରଣ ଦେଉନି ପୋଲିସ

ଭୁବନେଶ୍ୱର,  ୨୮।୬(ବ୍ୟୁରୋ) : ୨୦୧୭ ଜୁନ୍‌ ୬ରେ ସମ୍ବଲପୁର ପୋଲିସ ମାଡ଼ରେ ପଶ୍ଚିମବଙ୍ଗ ପୁରୁଲିଆ ଜିଲା ଟୁକୁରିମନ୍ଦିର ଗ୍ରାମର ଅଭୟ ସିଂଙ୍କ ମୃତ୍ୟୁ ଘଟିଥିଲା। ସେତେବେଳେ ଏହି ଘଟଣା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲାବେଳେ ପୋଲିସ ବିଭାଗ ବଦନାମ ମୁଣ୍ଡାଇଥିଲା। ଏନେଇ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ହେବା ପରେ ଘଟଣାର ନ୍ୟାୟିକ ତଦନ୍ତ କରାଯାଇଥିଲା। ତଦନ୍ତ ପରେ ଘଟଣାଟି ସତ ବୋଲି ପ୍ରମାଣିତ ହୋଇଥିଲା। ଶେଷରେ ୨୦୧୮ ମାର୍ଚ୍ଚ ୬ରେ କମିଶନ ମାମଲାର ବିଚାର କରି ମୃତ ଅଭୟଙ୍କ ସ୍ତ୍ରୀ ହେନା ସିଂଙ୍କୁ ୩ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସମ୍ବଲପୁର ଡିଆଇଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ସମ୍ବଲପୁର ପୋଲିସ କ୍ଷତିପୂରଣ ଦେବା ବଦଳରେ ଆଧାର କାର୍ଡ, ଭୋଟର କାର୍ଡ ଓ ଅନ୍ୟ ପ୍ରମାଣପତ୍ର ନ ଥିବାରୁ ସେ ଟଙ୍କା ନେଇ ନ ଥିବା ପୋଲିସ ଦର୍ଶାଇଛି। ଏପରିକି ଏ ସଂକ୍ରାନ୍ତରେ ଏକ ମିଛ ରିପୋର୍ଟ କମିଶନଙ୍କ ନିକଟରେ ଦାଖଲ କରିଥିଲା। ହେଲେ କମିଶନ ଏହା ଜାଣିବା ପରେ ପୋଲିସ ବିଭାଗ ଉପରେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ତୁରନ୍ତ ମୃତକଙ୍କ ସ୍ତ୍ରୀ ହେନା ରହୁଥିବା ଘର ଠିକଣାରେ ଚେକ୍‌ ପଠାଇବାକୁ ସମ୍ବଲପୁର ଡିଆଇଜିଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି। ନଚେତ କାରଣ ଜଣାଇବାକୁ କହିଛନ୍ତି।
ସୂଚନା ଅନୁଯାୟୀ, ଏକ ଚୋରି ଅଭିଯୋଗରେ ସମ୍ବଲପୁର ପୋଲିସ ଅଭୟଙ୍କୁ ଘରୁ ଉଠାଇଆଣି ଥାନାରେ ମାଡ଼ ମାରିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣା ପ୍ରଚାରିତ ହେବା ପରେ ପୋଲିସ ଏହାକୁ ଲୁଚାଇବା ପାଇଁ ତୁରନ୍ତ ମୃତ ଅଭୟଙ୍କୁ ହସ୍ପିଟାଲ ନେଇଯାଇଥିଲା। ପରେ ଘଟଣାର ସତ୍ୟତା ପଦାକୁ ଆସିଥିଲା। ଏନେଇ ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନଗୋ ଓ ବିଜୟ କୁମାର ପଣ୍ଡା ଓଏଚ୍‌ଆର୍‌ସିଙ୍କ ନିକଟରେ ଅଭିଯୋଗ କରିଥିଲେ।