ସମ୍ପର୍କ ବାନ୍ଧିଛି ଶିକୁଳି

ଆଠମଲ୍ଲିକ,୧୮ା୫ (ଜୟଗୋପାଳ ଷଡ଼ଙ୍ଗୀ):  ବେରୋଜଗାର ସ୍ବାମୀ ରୋଗଗ୍ରସ୍ତ ହେବା ପରେ ଦୋହଲିଯାଇଥିଲା ନୀଳିମାଙ୍କ ମାନସିକ ସ୍ଥିତି। ସେବେଠୁ ବାହାରେ ବୁଲାବୁଲି କରୁଥିବା ନୀଳିମା ଶେଷରେ ପହଞ୍ଚି ଯାଇଥିଲେ ବଡ଼ ଭଉଣୀଙ୍କ ଘର ଅନୁଗୋଳ ଜିଲା ଆଠମଲ୍ଲିକ ଅଞ୍ଚଳରେ। ଦୁଃଖ ସହି ନ ପାରି ଗରିବ ଭଉଣୀ ଭିଣୋଇ ତାଙ୍କୁ ଘରେ ରଖିଥିଲେ ସିନା ହେଲେ ରୋକିପାରି ନ ଥିଲେ ଏଣେତେଣେ ଧାଉଁଥିବା ପାଦ ଯୋଡ଼ିକୁ। ବଢ଼ିଲା ବୟସରେ ନୀଳିମା ସାହି ଗଳିରେ ବୁଲିବା ବିଚଳିତ କରିଦେଇଥିଲା ସେମାନଙ୍କୁ। ତେଣୁ ଯେତେ କଷ୍ଟ ହେଲେ ବି ନିଜ ରକ୍ତ ସମ୍ପର୍କୀୟଙ୍କ ଗୋଡ଼ରେ ଶିକୁଳି ବାନ୍ଧିବାକୁ ବାଧ୍ୟ ହୋଇଥିଲେ ସେମାନେ।
ବିହାରୀ ମେହେରଙ୍କ ଝିଅ ନୀଳିମା (୨୫)ଙ୍କ ଘର ଅନୁଗୋଳ ଜିଲା ଛେଣ୍ତିପଦା ଥାନା ଅଞ୍ଚଳରେ। ୬ ବର୍ଷ ତଳେ ତାଳଚେର ସହର ଅନ୍ତରାମଗେଟ୍‌ ନିକଟ ଅଜି ମେହେରଙ୍କ ପୁଅ ମିଥୁନଙ୍କ ସହ ତାଙ୍କର ବାହାଘର ହୋଇଥିଲା। ସ୍ବାମୀଙ୍କର କିଛି ରୋଜଗାର କି ଜମିବାଡ଼ି ନ ଥିଲା। ତଥାପି ଘର ସଂସାର ଆଗକୁ ବଢ଼ୁଥିବା ବେଳେ ହଠାତ୍‌ ସ୍ବାମୀ ଯକ୍ଷ୍ମା ରୋଗରେ ପଡ଼ିବା ନୀଳିମାଙ୍କୁ ବିବ୍ରତ କରିଦେଇଥିଲା। ସେବେଠାରୁ ତାଙ୍କ ମାନସିକ ଅବସ୍ଥା ଧୀରେ ଧୀରେ ଖରାପ ଆଡ଼କୁ ଗତି କରିଥିଲା। କିଛି ଦିନ ପରେ ସେ ସମ୍ପୂର୍ଣ୍ଣ ମାନସିକ ରୋଗୀ ପାଲଟି ଯାଇଥିଲେ। ଘର ଛାଡ଼ି ବାହାରେ ବୁଲାବୁଲି କରୁଥିବା ବେଳେ ଲକ୍‌ଡାଉନ ପୂର୍ବରୁ ସେ ଭଉଣୀଘର ଆଠମଲ୍ଲିକ ସହର ମୋଚି ସାହି ଆଡ଼େ ପଳାଇ ଆସିଥିଲେ। ନୀଳିମାଙ୍କୁ ଦେଖି ଭିଣୋଇ ମହେଶ୍ୱର ମେହେର ଓ ବଡ଼ ଭଉଣୀ ନିରାଶ ମେହେର ଘରକୁ ନେଇଯାଇଥିଲେ। କିନ୍ତୁ ସେଠାରେ ମଧ୍ୟ ନୀଳିମା ରହିପାରୁ ନ ଥିଲେ। ଯେତେବେଳେ ପାରିଲେ ସାହି ଡେଇଁ ବଜାରରେ ପହଞ୍ଚି ଯାଉଥିଲେ। ନିଜ ଟ୍ରଲିରେ ପର ବୋଝ ଲଦି ପରିବାରର ପେଟ ପୂରାଇ ପାରୁ ନ ଥିବା ଭିଣୋଇ ମହେଶ୍ୱରଙ୍କୁ ଏହା ବେଶି ବାଧୁଥିଲା। ହେଲେ ନୀଳିମାଙ୍କ ଚିକିତ୍ସା କରିବା ତାଙ୍କ ପକ୍ଷେ ସମ୍ଭବ ହେଉ ନ ଥିଲା। କାଳେ ସରକାରଙ୍କ ନଜର ତାଙ୍କ ଦୁଃଖ ଦୂର କରିଦେବ ସେହି ଆଶାରେ ସେ ଶାଳୀ ଗୋଡ଼ରେ ଶିକୁଳି ପକାଇ ରଖିବାକୁ ବାଧ୍ୟ ହୋଇଥିଲେ।
ଏ ସମ୍ପର୍କରେ ଆଠମଲ୍ଲିକ ଏନ୍‌ଏସି ନିର୍ବାହୀ ଅଧିକାରୀ କାଦମ୍ବିନୀ ଜେନା କହିଛନ୍ତି, ନୀଳିମା ଆଠମଲ୍ଲିକ ଅଞ୍ଚଳର ନୁହନ୍ତି। ତାଙ୍କ ପରିବାର ମଧ୍ୟ ଏନ୍‌ଏସିରେ ଅଭିଯୋଗ କରିନାହାନ୍ତି। ବଜାରରେ ବୁଲୁଥିବା ବେଳେ ତାଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଥିଲା। ଏବେ ନୀଳିମାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ଉଚିତ ବୋଲି ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି। ଭିଣୋଇ ମହେଶ୍ୱର କହିଛନ୍ତି, ଚିକିତ୍ସା କରାଗଲେ ନୀଳିମା ଭଲ ହୋଇପାରିବେ। ସରକାର କିମ୍ବା ଅନ୍ୟ କେହି କାଳେ ସାହାଯ୍ୟ କରିବେ ସେହି ଆଶାରେ ଆମେ ଏଯାଏ ରହିଛୁ।