ସମୁଦ୍ରରେ ଭାସିଯାଇ ବଙ୍ଗୀୟ ପର୍ଯ୍ୟଟକ ନିଖୋଜ

ଭୋଗରାଇ,୧୬।୧୦(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ତାଳସାରୀ ସମୁଦ୍ରକୂଳରେ ଜଣେ ବଙ୍ଗୀୟ ପର୍ଯ୍ୟଟକ ବୁଧବାର ମଧ୍ୟାହ୍ନରେ ଗାଧୋଇବାକୁ ଯାଇ ସମୁଦ୍ର ସ୍ରୋତରେ ଭାସିଯାଇ ନିଖୋଜ ଅଛନ୍ତି। ନିଖୋଜ ଥିବା ବଙ୍ଗୀୟ ପର୍ଯ୍ୟଟକ ହେଲେ ହିମାଙ୍କର ବେରା (୨୭)। ତାଙ୍କ ଘର ପଶ୍ଚିମବଙ୍ଗ ହୁଗୁଳି ଜିଲା ଚାନ୍ଦତାଲା ଥାନା ଅଧୀନ ଡାନକୁନିରେ ବୋଲି ତାଳସାରୀ ମେରାଇନ୍‌ ଥାନା ସୂତ୍ରରୁ ଜଣାପଡିଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ହିମାଙ୍କର ତାଙ୍କ କେତେଜଣ ସାଙ୍ଗଙ୍କ ସହିତ ତାଳସାରୀ ସମୁଦ୍ରକୂଳ ସୁବର୍ଣ୍ଣଦୀପକୁ ବୁଲିଆସିଥିବା ବେଳେ ସମୁଦ୍ରରେ ଗାଧୋଇବାର ମଜା ନେଉଥିଲେ। କିନ୍ତୁ ପ୍ରଖର ସମୁଦ୍ର ସ୍ରୋତରେ ସେ ଭିତରକୁ ଭାସି ଯାଇଥିଲେ। ସାଙ୍ଗମାନେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ଜଣାଇବା ପରେ ତାଳସାରୀ ମେରାଇନ୍‌ ଥାନାକୁ ଖବର ଦିଆଯାଇଥିଲା। ମେରାଇନ୍‌ ଥାନା ପକ୍ଷରୁ ମତ୍ସ୍ୟଜୀବୀଙ୍କ ଡଙ୍ଗା ସାହାଯ୍ୟରେ ତଲାସୀ କରାଯାଇ ଥିଲେ ମଧ୍ୟ ହିମାଙ୍କରଙ୍କର କୌଣସି ପତ୍ତା ମିଳି ନ ଥିବା ପୋଲିସ କହିଛି।