ସମୁଦ୍ରରେ ବୁଡ଼ି ଛାତ୍ର ମୃତ

ଗୋପ, ୧୬।୬(ଡି.ଏନ୍‌.ଏ.)-ସାଙ୍ଗ ସାଥୀଙ୍କ ସହ ରଜ ସଂକ୍ରାନ୍ତିରେ କୋଣାର୍କ ବୁଲିବାକୁ ଆସିଥିବା ଜଣେ କଲେଜ ଛାତ୍ରଙ୍କର ରବିବାର ସମୁଦ୍ରରେ ବୁଡ଼ି ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ କଟକ ଜିଲା ନିଆଳୀ ଥାନା ଅଧୀନ ପୋଲସରା ଗ୍ରାମର କ୍ଷୀରୋଦ ଖଟୋଇଙ୍କ ସାନ ପୁଅ ଚନ୍ଦନ ଖଟୋଇ (୨୦)। ଗୋପ ପୋଲିସ ମୃତଦେହ ଜବତ କରିବା ସହ ଥାନାରେ ଅପମୃତ୍ୟୁ ମାମଲା ୧୪/୧୯ ରୁଜୁ କରି ବ୍ୟବଚ୍ଛେଦ ପାଇଁ ଚାରିଛକ ଡାକ୍ତରଖାନା ପଠାଇଛି। ପ୍ରକାଶ ଯେ, ଚନ୍ଦନ ରବିବାର ୫-୬ ଜଣ ସାଙ୍ଗସାଥୀଙ୍କ ସହ କୋଣାର୍କକୁ ରଜ ଉତ୍ସବ ଦେଖିବା ଲାଗି ଆସିଥିଲେ। ମା’ ଭଗବତୀ ପୀଠରେ ରଜ ବୁଲିବା ପରେ କୋଣାର୍କ ଚନ୍ଦ୍ରଭାଗା ବୁଲିବାକୁ ଯାଇଥିଲେ। ସମୁଦ୍ରରେ ଗାଧୋଇବା ଲାଗି ସାଙ୍ଗମାନେ ବାହାରିବାରେ ଚନ୍ଦନ ମଧ୍ୟ ତାଙ୍କ ସହିତ ସମୁଦ୍ରରେ ଗାଧୋଇଥିଲେ। ଗାଧୋଇବା ସମୟରେ ସେ ସମୁଦ୍ର ଲହଡ଼ିରେ ଭାସିଯାଇଥିଲେ। ନିକଟରେ ଥିବା ସାଙ୍ଗମାନେ ତାଙ୍କୁ ଉଦ୍ଧାର କରି ଉପରକୁ ଆଣିବା ସହ ଚେତା ନ ଆସିବାରେ କୋଣାର୍କ ଡାକ୍ତରଖାନାକୁ ଆଣିଥିଲେ। ମୃତକ ଚନ୍ଦନ ନିକଟସ୍ଥ କଲେଜରେ ଅଧ୍ୟୟନ କରୁଥିବା ଜଣାପଡ଼ିଛି। କୋଣାର୍କ ସ୍ବାସ୍ଥ୍ୟକେନ୍ଦ୍ର ତାଙ୍କୁ ତୁରନ୍ତ ଗୋପ ସ୍ବାସ୍ଥ୍ୟକେନ୍ଦ୍ରଙ୍କୁ ପଠାଇବା ପରେ ଡ.ସୁଗନ୍ଧା କାଶ୍ୟପ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।