Categories: ଫୁରସତ

ସମୁଦ୍ରକୂଳ ଆର୍ବଜନାରୁ ଯୁବକଙ୍କୁ ମିଳିଲା ୩୦୫ ବର୍ଷ ତଳର ଗୁପ୍ତଧନ

ରାତାରାତି ଧନୀ ହେବାକୁ କିଏ ବା ନ ଚାହେଁ। କେବଳ ଏକ ସୁଯୋଗକୁ ସମସ୍ତେ ଅପେକ୍ଷା କରି ରହିଥାନ୍ତି। ହେଲେ ଏଭଳି ସୁଯୋଗ କେବଳ ଭାଗ୍ୟବାନଙ୍କୁ ମିଳିଥାଏ। କିଛି ଏଭଳି ଘଟଣା ଘଟିଛି ଫ୍ଲୋରିଡାରେ। ଯେଉଁଠାରେ ସମୁଦ୍ର କୂଳ ନିକଟରେ ଥିବା ଆର୍ବଜନାରୁ ୨ଜଣ ଯୁବକଙ୍କୁ ୩୦୫ ବର୍ଷ ପୁରୁଣା ଗୁପ୍ତଧନ ବା ଖଜାନା ମିଳିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ସେଣ୍ଟ ଲୁସିରେ ରହୁଥିବା ୪୩ ବର୍ଷୀୟ ଜୋନା ମାର୍ଟିନେଜ୍‌ ନିଜ ବନ୍ଧୁଙ୍କ ସହ ଏକ ଐତିହାସିକ ଜିନିଷକୁ ଖୋଜି ବାହାର କରିପାରିବାରେ ସକ୍ଷମ ହୋଇଛନ୍ତି। ସେମାନେ ଇଣ୍ଡିଆନ ରିଭର କାଉଣ୍ଟିରେ ଟର୍ଟଲ ଟ୍ରେଲ ବିଚ୍‌ ନିକଟରେ ପଡ଼ି ରହିଥିବା ଏକ ପୁରୁଣା ଜାହାଜରୁ ସ୍ପେନର ମୁଦ୍ରାକୁ ଖୋଜି ବାହାର କରିଛନ୍ତି। ସେମାନଙ୍କୁ ୨୨ଟି ମୁଦ୍ରା ମିଳିଥିବା ବେଳେ ଏହା ୩୦୫ ବର୍ଷର ପୁରୁଣା ବୋଲି ଜଣାପଡ଼ିଛି। ଯାହାର ଆନୁମାନିକ ମୂଲ୍ୟ ୭,୦୦୦ଡଲାର (ପ୍ରାୟ ୫,୧୬,୧୪୫ ଲକ୍ଷ ଟଙ୍କା) ହେବ। ମାର୍ଟିନେଜ୍‌ଙ୍କୁ ସମୁଦ୍ରରୁ କିଛି ନିଆରା ବା ନୂଆ ଜିନିଷକୁ ଖୋଜି ବାହାର କରିବାରେ ବେଶ୍‌ ରୁଚି ରହିଛି। ଏହା ପୂର୍ବରୁ ମଧ୍ୟ ପ୍ରାୟ ୬.୫ ମିଲିୟନ୍‌ ଡଲାର ମୂଲ୍ୟର ସୁନାକୁ ଖୋଜି ବାହାର କରିଥିଲେ। ଏଥିପାଇଁ ତାଙ୍କୁ ଟ୍ରେଜେରୀ ହଣ୍ଟର ବୋଲି କୁହାଯାଏ। ଅପରପକ୍ଷେ କୁହାଯାଉଛି ୧୭୧୫ ଜୁଲାଇ ୩୧ରେ ୧୨ ସ୍ପାନିଶ୍‌ ଜାହାଜ ଗୁପ୍ତଧନ ନେଇ ସ୍ପେନ୍‌ ଅଭିମୂଖେ ଯାଇଥିଲା। କିନ୍ତୁ ଫ୍ଲୋରିଡା ତଟରୁ କିଛି ଦୂରରେ ଏକ ତୋଫାନ ହୋଇଥିଲା। ଏହି ତୋଫାନରେ ୧୧ ଜାହାଜ ବୁଡ଼ିଯାଇଥିଲା ଏବଂ ସେଥିରେ ଜାହାଜରେ ଥିବା ମୂଲ୍ୟବାନ ପଦାର୍ଥର ଏକ ବଡ଼ ଅଂଶ ମଧ୍ୟ ବୁଡ଼ିଯାଇଥିଲା। ଯାହା ଆଜି ବି ସମୁଦ୍ର ତଳେ ଦବି ହୋଇ ରହିଥିବା କୁହାଯାଉଛି।

Share