ବାରିପଦା ଅଫିସ,୩୦ା୧୦- ମୟୂରଭଞ୍ଜ ଜିଲା ବାରିପଦା ତକତପୁର ସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ସମନ୍ବିତ ବିଏଡ, ଏମଏଡ ପାଠ୍ୟକ୍ରମରେ ପଢ଼ୁଥିବା ଛାତ୍ରୀଛାତ୍ରମାନଙ୍କୁ କେବଳ ଏମଏଡ ପାଠ୍ୟକ୍ରମ ସମ୍ବନ୍ଧୀୟ ପରୀକ୍ଷା ଦେବାପାଇଁ ଅନୁମତି ମିଳୁଛି। ଫଳରେ ବିଏଡ ପାଠ୍ୟକ୍ରମ ସମ୍ବନ୍ଧୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଯଥା ଓଟିଇଟି, ଓଏସଏସଟିଇଟି ଏବଂ ସିଟିଇଟିରୁ ସେମାନେ ବଞ୍ଚିତ ହେଉଛନ୍ତି। ଏହି ଅଭିଯୋଗ ନେଇ ବିଶ୍ୱବିଦ୍ୟାଳୟର ଛାତ୍ର ନେତା ଦୁର୍ଯ୍ୟୋଧନ ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲାପାଳ ବିନୀତ ଭରଦ୍ୱାଜଙ୍କୁ ସାକ୍ଷାତ କରି ଲିଖିତ ଭାବେ ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁଯାୟୀ, ବିଗତ ୨ ବର୍ଷ ମଧ୍ୟରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଗଣଶିକ୍ଷା ସଚିବଙ୍କୁ ଏହି ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ ମଧ୍ୟ କିଛି ସୁଫଳ ମିଳି ନାହିଁ । ଅଦ୍ୟାବଧି ୧୫୦ ଜଣ ଛାତ୍ରୀଛାତ୍ର ବିଶ୍ବବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରୁଛନ୍ତି। ଏବେ ସେମାନଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ଗଣଶିକ୍ଷା ବିଭାଗର ଅଭିଯୋଗ ପ୍ରକୋଷ୍ଠ, ଜାତୀୟ ଶିକ୍ଷକ ଶିକ୍ଷଣ ପରିଷଦର ଆଞ୍ଚଳିକ ସମିତି, ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଓ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖଙ୍କୁ ଏହି ସମସ୍ୟା ସମ୍ପର୍କରେ ଲିଖିତ ଅଭିଯୋଗ ଦେଇଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନାହିଁ। ତେବେ ଆଗାମୀ ୭ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ନ ହେଲେ ବିଶ୍ବବିଦ୍ୟାଳୟରୁ ଭୁବନେଶ୍ୱର ଲୋକ ସେବା ଭବନ ଅଭିମୁଖେ ଅହିଂସା ପଦ ଯାତ୍ରା କରିବା ନେଇ ଛାତ୍ରୀଛାତ୍ରମାନେ ନିଷ୍ପତ୍ତି ନେଇଛନ୍ତି। ଏହି ଛାତ୍ର ପ୍ରତିନିଧି ଦଳରେ ରମେଶ କୁମାର ନନ୍ଦି, ଦିବ୍ୟସିଂହ ବେହେରା, ଜଗବନ୍ଧୁ ଗିରି, ପ୍ରିୟଦର୍ଶିନୀ ପାତ୍ର ପ୍ରମୁଖ ସାମିଲ ଥିଲେ।


