ସମସ୍ୟା ଘେରରେ ମିଳିମିଳା ପୀଠ

ମାର୍ଶାଘାଇ, ୧୨।୧୦ (ଡି.ଏନ୍‌.ଏ.): ମେଡିକାଲ ସାଇନ୍ସ ଉନ୍ନତ ହେବା ପୂର୍ବରୁ ହଇଜା, ମିଳିମିଳା, ହାଡ଼ଫୁଟି ଆଦି ଦୁରାରୋଗର ଚିକିତ୍ସା ପାଇଁ ଲୋକମାନେ ଝଡ଼ା, ପୁଙ୍କା ଆଦି କରିବା ସହ ବିଭିନ୍ନ ଦେବଦେବୀଙ୍କୁ ପୂଜାର୍ଚ୍ଚନା କରୁଥିଲେ। ବିଶେଷକରି ଛୋଟଛୋଟ ପିଲାଙ୍କ ସୁସ୍ଥ ସ୍ବାସ୍ଥ୍ୟ ପାଇଁ ପରିବାର ଲୋକେ ଠାକୁରଙ୍କ ଶରଣ ପଶୁଥିବା ଘଟଣା ଶୁଣିବାକୁ ମିଳେ। ମାର୍ଶାଘାଇ ବ୍ଲକ ବେରୁହାଁ ପଞ୍ଚାୟତରେ ଏଭଳି ଏକ ମନ୍ଦିର ରହିଛି, ଯେଉଁଠି ଝୁଣା ଧୂପ, ଦୀପ ଦେଇ ପୂଜା କଲେ ମିଳିମିଳା ରୋଗୀ ସୁସ୍ଥ ହୋଇଥାନ୍ତି। ଏହା ମିଳିମିଳା ପୀଠ ଭାବେ ପରିଚିତ। ବିଭିନ୍ନ ରୋଗର ଚିକିତ୍ସା ଓ ମାଲିମକଦ୍ଦମାରୁ ସମସ୍ୟାରୁ ତ୍ରାହି ପାଇବା ସକାଶେ ଲୋକମାନେ ଏହି ମଠରେ ଆମିଷ ଘାଣ୍ଟିଆ ଲାଗି କରିଥାନ୍ତି। ଭକ୍ତିର ସହ ଡାକିଲେ ମା’ ଭକ୍ତଙ୍କ ଦୁଃଖ ସଂହାର କରନ୍ତି ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି। କାହିଁ କେଉଁ ଅମଳରୁ ବିରାଟ ବଟ ବୃକ୍ଷ ମୂଳେ ଥିବା ସିନ୍ଦୂର ମଣ୍ଡିତ ଠାକୁରାଣୀଙ୍କ ମୂର୍ତ୍ତି ପୂଜା ପାଇଆସୁଛି। ପଣା ସଂକ୍ରାନ୍ତୀରେ ଏଠାରେ ଝାମୁ ଘଣ୍ଟ ଅନୁଷ୍ଠିତ ହୁଏ। ଏହି ସମୟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଏଥିସହ ବର୍ଷକ ବାରମାସୀ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ। କିନ୍ତୁ କ୍ରମେ ଏହି ମଠ ବିଭିନ୍ନ ସମସ୍ୟା ଘେରକୁ ଚାଲିଆସିଛି। ମା’ଙ୍କ ପୂଜା ପାଇଁ ଏଠାରେ ଜଣେ ବାବାଜୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ତାଙ୍କ ରହିବା ପାଇଁ ପକ୍କା ଘର ବ୍ୟବସ୍ଥା ନାହିଁ। ପୀଠ ପରିସରରେ ଗୋଟିଏ ନଳକୂପ ରହିଛି। ବିଭିନ୍ନ ପର୍ବପର୍ବାଣିରେ ଜନ ସମାଗମ ଯୋଗୁ ବ୍ୟବହାର ପାଇଁ ଏହା ଯଥେଷ୍ଟ ହେଉନି। ଏଥିସହ ମଠ ପରିସରକୁ ବିଦ୍ୟୁତ୍‌ ସଂଯୋଗ କରାଯିବାର ଆବଶ୍ୟକତା ରହିଛି। ଫଳରେ ପୀଠର ଉନ୍ନତୀକରଣ ପ୍ରତି ଦୃଷ୍ଟି ଦିଆଯିବାକୁ ବେରୁହଁା ସରପଞ୍ଚ ଲାବଣ୍ୟବତୀ ସେନାପତି, ମଙ୍ଗରାଜପୁର ସରପଞ୍ଚ ପ୍ରଦୀପ୍ତ ନାୟକ ଓ ସାମାଜିକ କର୍ମୀ ସର୍ବେଶ୍ୱର ଦାସ ପ୍ରମୁଖ ସ୍ଥାନୀୟ ବିଧାୟକ ଓ ପ୍ରଶାସନ ନିକଟରେ ଦାବି କରିଛନ୍ତି।