ସମସ୍ୟା ଘେରରେ ବାଣିଜ୍ୟକର ଅଫିସ: ରାସ୍ତା ନାହିଁ, ହିଡ଼ ଦେଇ ଯିବାକୁ ପଡ଼ୁଛି କାର୍ଯ୍ୟାଳୟ

ଯାଜପୁର ଟାଉନ,୧୪-୧(ଡିଏନଏ): ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ଦୀର୍ଘବର୍ଷ ପୂର୍ବେ ଯାଜପୁର ଟାଉନରେ ବାଣିଜ୍ୟକର ଅଫିସ କାର୍ଯ୍ୟ କରୁଛି। ଏବେ ଏହି କାର୍ଯ୍ୟାଳୟର ନାମ ବାଣିଜ୍ୟକର ଏବଂ ଦ୍ରବ୍ୟସେବା କର(ଜିଏସଟି)ରେ ପରିଣତ ହୋଇଛି। ସରକାରଙ୍କର ଏହି କର ନିର୍ଦ୍ଧାରଣ ସଂସ୍ଥାଟି ପୂର୍ବରୁ ସହରର ମଧ୍ୟବର୍ତ୍ତୀ ସ୍ଥାନ ଗରିଆପୁରଠାରେ ଭଡାଘରେ ଚାଲୁଥିବାବେଳେ ଗତ କିଛିବର୍ଷ ହେଲା ନିଜସ୍ବ ନିର୍ମିତ ଗୃହକୁ ସ୍ଥାନାନ୍ତର ହୋଇଛି। ଭୀମକରପୁର ମୌଜାର କୁସୁମା ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ରହିଥିବା ଉକ୍ତ ଅଫିସରେ କେହି ଅଧିକାରୀ ନାହାନ୍ତି। ଅପରପକ୍ଷରେ ସରକାରଙ୍କ ରାଜସ୍ବ ସଂଗ୍ରହର ମାଧ୍ୟମ ପାଲଟିଥିବା ଏହି କାର୍ଯ୍ୟାଳୟକୁ ଯିବା ପାଇଁ ଖଣ୍ଡିଏ ରାସ୍ତା ନହିଁ। ଜମି ହିଡ଼ରେ ଗୋଟିଏ ଦୁଇଚକିଆ ଯାନରେ ସତର୍କତାର ସହ ଅଫିସକୁ ଯିବାକୁ ପଡିଥାଏ। କୌଣସି ଅଧିକାରୀ ଅଫିସ ପର୍ଯ୍ୟନ୍ତ ଯଦି ଚାରିଚକିଆ ଯାନରେ ଯାଇଥାନ୍ତି ତେବେ କିଛି ଲୋକଙ୍କ ଘରୋଇ ଜମି ଦେଇ ଯାତାୟତ କରିଥାନ୍ତି। ବର୍ଷାଦିନେ ତାହା ମଧ୍ୟ ହୋଇପାରେ ନାହିଁ। ଜିଲା ସଦର ମହକୁମାରେ ଅଫିସ ରହିଥିଲେ ମଧ୍ୟ ଏହା ଉପରେ କାହାର ଦୃଷ୍ଟି ନାହିଁ। ଏଠାରେ ଏକ ମୁଖ୍ୟ ବାଣିଜ୍ୟକର ଅଧିକାରୀଙ୍କ ପଦବୀ ରହିଥିବାବେଳେ ଭଡାଘରେ ଥିବା ସମୟରୁ ଏବଂ ନିଜସ୍ବ ଗୃହରେ ଅଫିସ ଚାଲିବା ପରଠାରୁ କେହି ଜଣେ ସ୍ଥାୟୀ ଅଧିକାରୀ ନାହାନ୍ତି। ଯାଜପୁରରୋଡରେ ଥିବା କାର୍ଯ୍ୟାଳୟର ଅଧିକାରୀ ଆସି ମଝିରେ ମଝିରେ ପହଞ୍ଚତ୍ ଭାରପ୍ରାପ୍ତ ଅଧିକାରୀଙ୍କ ଦାୟିତ୍ୱ ତୁଲାଇଥାନ୍ତି। ଯାଜପୁର ସହର, ସଦର ବ୍ଲକ, ବିଞ୍ଝାରପୁର, ବରୀ ଓ ଦଶରଥପୁର ସମେତ ଆଉ କେତେକ ଅଞ୍ଚଳକୁ ନେଇ ଏହି କାର୍ଯ୍ୟାଳୟଟି ରହିଛି। ମାତ୍ର ଦୀର୍ଘଦିନ ଧରି ଏଠାରେ କେହି ସ୍ଥାୟୀ ଅଧିକାରୀ ନ ରହିବା ଯୋଗୁ ରାଜସ୍ବ ସଂଗ୍ରହ କମ୍‌ ହେବା ସହିତ ଅସାଧୁ ବ୍ୟବସାୟୀମାନେ କୋଟିକୋଟି ଟଙ୍କାର ଟିକସ ଫାଙ୍କି ଚାଲିଛନ୍ତି। ଟିକସ ଲୁଟେରାଙ୍କୁ ଅଧିକାରୀଙ୍କ ଅନୁପସ୍ଥିତି କଙ୍କଡ଼ାକୁ ଗୋଳିଆପାଣି ସଦୃଶ ହୋଇଥିବା ଦେଖାଯାଉଛି। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ଏବଂ ପ୍ରଶାସନର ଅଣଦେଖା ମନୋଭାବ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟର ଏ ପ୍ରକାର ଦୂରାବସ୍ଥା ହୋଇଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ବାଣିଜ୍ୟକର ଅଧିକାରୀଙ୍କ ସହ ଯୋଗାଯୋଗ କରାଯିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବପର ହୋଇପାରି ନାହିଁ।