ସମସ୍ତ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟର ହୋଇଛି କମ୍ପ୍ୟୁଟରୀକରଣ: ମନ୍ତ୍ରୀ

ଭୁବନେଶ୍ୱର, ୨୪।୧୧(ବ୍ୟୁରୋ): ରାଜ୍ୟର ସମସ୍ତ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟଗୁଡିକର କମ୍ପ୍ୟୁଟରୀକରଣ କରାଯାଇଛି। ୨୦୧୩-୧୪ ଆର୍ଥିକ ବର୍ଷରେ ସୂଚନା ଓ ପ୍ରଯୁକ୍ତି ବିଭାଗରେ ଇ-ଡିଷ୍ଟ୍ରିକ୍ଟ ଆପ୍ଲିକେଶନ ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ବିବିଧ ଓ ଜାତି ପ୍ରମାଣପତ୍ର ଯାଞ୍ଚ ପାଇଁ ଲାପ୍‌ଟପ୍‌ , ସ୍କାନର ଏବଂ ପ୍ରିଣ୍ଟର ଆଦି ଉପକରଣ ଯୋଗାଇ ଦିଆଯାଇଛି। ବିଜେଡି ବିଧାୟକ ବ୍ୟୋମକେଶ ରାୟଙ୍କ ଦ୍ୱାରା ନଭେମ୍ବର ୨୨ରେ ପଚରା ଯାଇଥିବା ଏକ ଅଣତାରକା ପ୍ରଶ୍ନ ନଂ-୧୩୫୭ର ଉତ୍ତର ଦେଇ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏହା କହିଛନ୍ତି। ସେହିପରି ତହସିଲ, ଉପଜିଲାପାଳ, ଜିଲାପାଳ, ରାଜସ୍ବ ଆୟୁକ୍ତ ଏବଂ ରାଜସ୍ବ ପର୍ଷଦ କାର୍ଯ୍ୟାଳୟଗୁଡ଼ିକର କମ୍ପ୍ୟୁଟରୀକରଣ କରାଯାଇଛି। ସେହିଭଳି ରାଜ୍ୟରେ ୫୯୫ଟି ରାଜସ୍ବ ନିରୀକ୍ଷକ ପଦବୀ ଖାଲିପଡ଼ିଛି। ବଲାଙ୍ଗୀରରେ ୭୬, କଟକ ୫୮, ଗଞ୍ଜାମ ୩୮, ଜଗତ୍‌ସିଂହପୁର ଓ ସୁନ୍ଦରଗଡ଼ରେ ୩୨ ଲେଖାଏ ଏବଂ କେନ୍ଦ୍ରାପଡ଼ା ଓ ପୁରୀରେ ୨୯ଟି ଲେଖାଏ ପଦବୀ ଖାଲିପଡ଼ିଛି। ଅପରପକ୍ଷରେ ରାଜ୍ୟରେ ୨୨୭୯ ସଂଖ୍ୟକ ଆର୍‌ଆଇ ସର୍କଲ ରହିଛି। ଗତ ଆର୍ଥିକ ବର୍ଷରେ ଆର୍‌ଆଇ ସର୍କଲ ଖୋଲିଥିଲା। ପ୍ରତି ୩ଟି ଗ୍ରାମ ପଞ୍ଚାୟତରେ ଗୋଟିଏ ଆର୍‌ଆଇ ସର୍କଲ ପ୍ରତିଷ୍ଠା କରିବା ସମ୍ପର୍କିତ ନିଷ୍ପତ୍ତି ସରକାରଙ୍କ ବିଚାରାଧୀନ ରହିଛି। ଏ ସମ୍ବନ୍ଧୀୟ କୌଣସି ନିର୍ଦ୍ଦେଶାବଳୀ/ଚିଠି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧୀନସ୍ଥ ଆଇଏସ୍‌ବି ଏବଂ ଡିଆର୍‌ ସେଲ୍‌ ପକ୍ଷରୁ ପ୍ରେରଣ କରାଯାଇନାହିଁ। ଅପରପକ୍ଷରେ ପ୍ରତି ଗ୍ରାମ ପଞ୍ଚାୟତକୁ ଏକକ ଧରି ଆର୍‌ଆଇ ସର୍କଲ ପ୍ରତିଷ୍ଠା ନେଇ ସରକାରୀ ନିଷ୍ପତ୍ତି ନିଆଯାଇନାହିଁ। ସୂଚନାଧିକାର କର୍ମୀ ବି. ଶଙ୍କର ରାଓଙ୍କ ଦ୍ୱାରା ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ରାଜସ୍ବ ବିଭାଗ ପକ୍ଷରୁ ଏହା କୁହାଯାଇଛି।