ସମଝୌତା ଏକ୍ସପ୍ରେସ୍‌କୁ ସୀମାରେ ଅଟକାଇଲା ପାକ୍‌

ଇସ୍‌ଲାମାବାଦ/ନୂଆଦିଲ୍ଲୀ,୯।୮:ଭାରତ ଓ ପାକିସ୍ତାନ ମଧ୍ୟରେ ଚଳାଚଳ କରୁଥିବା ସମଝୌତା ଏକ୍ସପ୍ରେସ୍‌ ଟ୍ରେନ୍‌ ସେବାକୁ ଇସ୍‌ଲାମାବାଦ ବାତିଲ କରିଦେଇଥିବା ଏହାର ରେଳମନ୍ତ୍ରୀ ଶେଖ୍‌ ରଶିଦ୍‌ ଗୁରୁବାର ଘୋଷଣା କରିଥିବାବେଳେ ଭାରତ ଏହାକୁ ଖଣ୍ଡନ କରିଛି। ଏନେଇ ଇସ୍‌ଲାମାବାଦ ପକ୍ଷରୁ କୌଣସି ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇ ନ ଥିବା ଭାରତୀୟ କର୍ତ୍ତୃପକ୍ଷ କହିଛନ୍ତି। ଓ୍ବାଘା ସୀମାରେ ଅଟକିଥିବା ସମଝୌତା ଏକ୍ସପ୍ରେସ୍‌କୁ ଭାରତୀୟ ଡ୍ରାଇଭର ଓ କର୍ମଚାରୀ ଅଟାରି ଆଣିଛନ୍ତି।
ସମଝୌତା ଏକ୍ସପ୍ରେସ୍‌ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିବା ପାକ୍‌ ମନ୍ତ୍ରୀ କହିବା ସହ ଏତେଶୀଘ୍ର ଏହା ଚଳାଚଳ କରିବ ନାହିଁ ବୋଲି ସୂଚନା ଦେଇଥିଲେ। ସେ ରେଳମନ୍ତ୍ରୀ ଥିବା ପର୍ଯ୍ୟନ୍ତ ଉକ୍ତ ଟ୍ରେନ ଚଳାଚଳ କରିପାରିବନି ବୋଲି ରଶିଦ୍‌ ଖବରଦାତାମାନଙ୍କୁ କହିଥିବା ଏକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଥିଲା। ଅନ୍ୟପକ୍ଷରେ ପାକିସ୍ତାନ ତା’ର ଟ୍ରେନ୍‌ କର୍ମଚାରୀ ଓ ଗାର୍ଡ଼ମାନଙ୍କ ସୁରକ୍ଷା ପ୍ରଶ୍ନ ଉଠାଇଛି। ସମଝୌତା ଏକ୍ସପ୍ରେସ୍‌ର କର୍ମଚାରୀ ଓ ଗାର୍ଡ ଭାରତ ଆସିବାକୁ ଚାହୁଁ ନ ଥିବା ପାକ୍‌ ରେଲଓ୍ବେ ପକ୍ଷରୁ ଜଣାଇ ଦିଆଯାଇଛି ବୋଲି ଅଟାରି ଷ୍ଟେଶନମାଷ୍ଟର ଅରବିନ୍ଦ ଗୁପ୍ତା କହିଥିଲେ। ତେଣୁ ଅମୃତସରରୁ ଏକ ଟ୍ରେନ୍‌ ଇଞ୍ଜିନ, ଡ୍ରାଇଭର ଓ କର୍ମଚାରୀଙ୍କୁ ସେଠାକୁ ପଠାଯାଇଥିଲା।
ସୂଚନା ଅନୁଯାୟୀ ସକାଳ ୯ଟା ୩୦ରୁ ସମଝୌତା ଏକ୍ସପ୍ରେସ ଓ୍ବାଘା ରେଳଷ୍ଟେଶନରେ ଅଟକି ରହଥିଲା। ସେଥିରେ ୧୧୦ ଜଣ ଯାତ୍ରୀ ଥିବାବେଳେ ପାକିସ୍ତାନ ଯିବା ଲାଗି ଷ୍ଟେଶନରେ ୭୦ ଯାତ୍ରୀ ଅପେକ୍ଷା କରିରହିଛନ୍ତି। ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବା ଏବଂ ଏହାକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରାଯିବା ପରେ ଏହାକୁ ନେଇ ଦୁଇଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧିପାଇଛି। ପାକିସ୍ତାନ ଭାରତ ସହ କୂଟନୈତିକ ଓ ବାଣିଜି୍ୟକ ସମ୍ପର୍କ ଛିନ୍ନ କରିଛି। ତେବେ କର୍‌ତାରପୁର କରିଡର କାର୍ଯ୍ୟ ଜାରି ରହିବ ବୋଲି ପାକିସ୍ତାନ କହିଛି।

Share