Categories: ଜାତୀୟ

ସଭରକରଙ୍କୁ ସେବାଦଳର ଆକ୍ଷେପ: କଂଗ୍ରେସ ଉପରେ ବର୍ଷିଲେ ଭାଜପା, ଶିବସେନା

ମୁମ୍ବାଇ, ନୂଆଦିଲ୍ଲୀ,୪ା୧(ପି.ଟି.): ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ୍‌ସେଙ୍କ ସହ ସ୍ବାଧୀନତା ସଂଗ୍ରାମୀ ବୀର ସଭରକରଙ୍କର ଶାରୀରିକ ସମ୍ପର୍କ ରହିଥିଲା ବୋଲି କଂଗ୍ରେସ ସେବାଦଳ ପକ୍ଷରୁ ପ୍ରକାଶିତ ପୁସ୍ତିକାରେ ଦାବି କରାଯିବା ଘଟଣାକୁ ନେଇ ରାଜନୀତି ଜୋର୍‌ ଧରିଛି। ଏହାକୁ ନେଇ ନୂଆ ସହଯୋଗୀ ଦଳ ଶିବସେନା ଏବଂ ବିରୋଧୀ ଭାଜପା ଶୁକ୍ରବାର କଂଗ୍ରେସ ଉପରେ ବର୍ଷିଛନ୍ତି। ଦେଶଭକ୍ତ ଭାବେ ସଭରକରଙ୍କ ପରିଚୟକୁ ନେଇ କଂଗ୍ରେସ ମନରେ ମଇଳା ରହିଛି ବୋଲି ଶିବସେନା କହିଛି। ଏହା ହିନ୍ଦୁତ୍ୱ ନୀତି ଆଦର୍ଶ ବିରୋଧରେ ଅତ୍ୟନ୍ତ ଘୃଣ୍ୟ ଓ ବିକୃତ ମାନସିକତା ବୋଲି କହିବା ସହ କଂଗ୍ରେସ କ୍ଷମା ମାଗୁ ବୋଲି ଭାଜପା ଦାବି କରିଛି।
କଂଗ୍ରେସ ନେତାମାନଙ୍କ ବିଭିନ୍ନ ସମ୍ପର୍କ ବିଷୟରେ ବିଶ୍ୱ ଜାଣିଛି, ଯାହା ସେ ଖୋଲିବାକୁ ଚାହୁଁନାହାନ୍ତି ବୋଲି ଭାଜପା ସାଧାରଣ ସମ୍ପାଦକ ଅନିଲ ଜୈନ କହିଥିଲେ। ବୀର ସଭରକର ସବୁଦିନ ପାଇଁ ମହାନ୍‌ ହୋଇ ରହିବେ। ଗୋଟିଏ ଗୋଷ୍ଠୀ ତାଙ୍କ ବିରୋଧରେ କହିଆସିଛି, ଯାହା ସେମାନଙ୍କ ମାନସିକତାରେ ମଇଳା ଭରିରହିଥିବା ସ୍ପଷ୍ଟ କରୁଛି ବୋଲି ଶିବସେନା ଏମ୍‌ପି ସଞ୍ଜୟ ରାଉତ୍‌ କହିଛନ୍ତି।
‘ବୀର ସଭରକର, କିତ୍‌ନେ ବୀର?’ ପୁସ୍ତିକା କଂଗ୍ରେସ ସେବାଦଳ ପକ୍ଷରୁ ମଧ୍ୟପ୍ରଦେଶରେ ବଣ୍ଟାଯାଇଥିଲା। ଯେଉଁଥିରେ ଉପରୋକ୍ତ ଅଭିଯୋଗ ସମେତ ସଭରକର ବ୍ରିଟିଶଠାରୁ ଟଙ୍କା ଗ୍ରହଣ କରିଥିବା ଅଭିଯୋଗ ହୋଇଥିଲା। ଏଭଳି ଘୃଣ୍ୟ ମନ୍ତବ୍ୟ ପାଇଁ କଂଗ୍ରେସ କ୍ଷମା ମାଗିବା ଆବଶ୍ୟକ ବୋଲି ମହାରାଷ୍ଟ୍ର ଭାଜପା ସଭାପତି ଚନ୍ଦ୍ରକାନ୍ତ ପାଟିଲ ଦାବି କରିଛନ୍ତି।

Share