ସବ୍‌ରେଜିଷ୍ଟ୍ରି ଅଫିସରେ ତାଲା ପକାଇଲା ଓକିଲ ସଂଘ

ଲୋଇସିଂହା,୧୭।୮(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ତହସିଲର ସବରେଜିଷ୍ଟ୍ରି ଅଫିସର କିରାଣି ମେନାରାମ ବିଶିଙ୍କୁ ଲୋଇସିଂହା ତହସିଲକୁ ବଦଳି କରାଯାଇଥିଲା । ଶୁକ୍ରବାର ସେ ଲୋଇସିଂହା ତହସିଲରେ ଯୋଗଦାନ କରିବାକୁ ଥିବା ବେଳେ ଲୋଇସିଂହା ବାର୍‌ ଓକିଲ ସଂଘ ପକ୍ଷରୁ ତାଙ୍କୁ ବିରୋଧ କରି ଅତିରିକ୍ତ ଜିଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ । ହେଲେ ଅତିରିକ୍ତ ଜିଲାପାଳ କିରାଣି ବିଶି ଲୋଇସିଂହାରେ ଯୋଗ ଦେବେ କହିଥିଲେ। ଏହା ପରେ ଓକିଲ ସଂଘ ଲୋଇସିଂହା ସବ୍‌ରେଜିଷ୍ଟ୍ରି ଅଫିସରେ ତାଲା ପକାଇ ଦେଇଥିଲେ। କିରାଣି ବିଶିଙ୍କ ବଦଳି ପ୍ରତ୍ୟାହାର ନ ହେଲେ ଶନିବାର ସେମାନେ ତହସିଲ ଅଫିସ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଥିଲେ ।
ଓକିଲ ସଂଘ ସୂଚନା ଅନୁଯାୟୀ, କଣ୍ଟାବାଞ୍ଜି ତହସିଲ ସବରେଜିଷ୍ଟ୍ରି ଅଫିସରେ କାର୍ଯ୍ୟରତ କିରାଣି ବିଶିଙ୍କ ବିରୋଧରେ ସେଠାକାର ବାର୍‌ ଓକିଲ ସଂଘ ଅନ୍ଦୋଳନ କରିଥିଲେ । ଓକିଲ ସଂଘ ଚାପରେ ଜିଲା ପ୍ରଶାସନ ତାଙ୍କୁ ଲୋଇସିଂହା ବଦଳି କରି ସେଠାକାର କିରାଣି ମନୋଜ ସେଠ୍‌ଙ୍କୁ କଣ୍ଟାବାଞ୍ଜି ବଦଳି କରି ଦିଆଯାଇଛି । ଏହି ଘଟଣା ସ୍ଥାନୀୟ ବାର୍‌ ଓକିଲ ସଂଘ ଜାଣିବା ପରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ ।