ସଫଳତା ପଥେ ଦୁଇ ଭଉଣୀ

ଖଣ୍ଡପଡା,୧୩।୧୦(ସ୍ବ.ପ୍ର.)-ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଜୟ ପ୍ରକାଶ ନାରାୟଣ ଅର୍ଥନୀତି ଓ ସାମାଜିକ ଅଧ୍ୟୟନ ପ୍ରତିଷ୍ଠାନର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ଜୟଦେବ ଭବନଠାରେ ଲୋକନାୟକ ଜୟପ୍ରକାଶ ନାରାୟଣ ଓ ଶହୀଦ୍‌ ବାଜି ରାଉତଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ ଓ ଶ୍ରାଦ୍ଧ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ଆୟୋଜିତ ବକ୍ତୃତା ପ୍ରତିଯୋଗିତାରେ ନୟାଗଡ ଜିଲା ଭାପୁର ବ୍ଲ୍ଳକ ସୁନାଖଳା ଗ୍ରାମର ରୂପାଲୀ ସାହୁ ପ୍ରଥମ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ତାଙ୍କ ବଡ ଭଉଣୀ ମୋନାଲୀ ସାହୁ ତୃତୀୟ ବର୍ଗରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରି ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି । ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଳ ସମ୍ପଦ ଏବଂ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁ ନନ୍ଦନ ଦାସ, ମୁଖ୍ୟବକ୍ତା ବିଶିଷ୍ଟ ସାହିତି୍ୟକ ଓ ଲେଖକ ଡ. ସୌରୀବନ୍ଧୁ କର ଯୋଗ ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ବିଧାୟକ ଅମର ପ୍ରସାଦ ଶତପଥୀ, ଗଣମାଧ୍ୟମ ପରାମର୍ଶଦାତା ମାନସ ରଞ୍ଜନ ମଙ୍ଗରାଜ, ଲେଖକ ଡ. ଉଦ୍ଧବ ଚରଣ ନାୟକ ପ୍ରମୁଖ ଯୋଗଦେଇ ଆୟୋଜିତ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।
ପ୍ରକାଶ ଥାଉକି, ରୂପାଲୀ ଭାପୁର ବ୍ଲକ ନୟାଗଡ ଜିଲା ତରଫରୁ ‘ଗୋପବନ୍ଧୁ କର୍ତ୍ତବ୍ୟ ବୋଧିନୀ ସମ୍ମାନ-୨୦୧୯’ ପାଇବା ପାଇଁ ଯୋଗ୍ୟ ବିବେଚିତ ମଧ୍ୟ ହୋଇଛନ୍ତି । ସେ ଓଡିଶା ଆଦର୍ଶ ବିଦ୍ୟାଳୟର ୬ଷ୍ଠ ଶ୍ରେଣୀର ଛାତ୍ରୀ ହୋଇଥିବା ବେଳେ ମୋନାଲୀ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ତୃତୀୟ ବର୍ଷର ଛାତ୍ରୀ ା ଅତୀତରେ ଦୁଇ ଭଉଣୀ ଅନେକ ବାର ରାଜ୍ୟ ସ୍ତରୀୟ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ସମଗ୍ର ଜିଲା ପାଇଁ ଗୌରବ ଆଣିଛନ୍ତି ।