Categories: ଖେଳ

ସଫଳତାର ରହସ୍ୟ ବଖାଣିଲେ ‘ସୁନା’ ଝିଅ ହିମା

ଗୁଆହାଟୀ, ୩୦।୭: ଭାରତୀୟ ମହିଳା ସ୍ପ୍ରିଣ୍ଟର ହିମା ଦାସ ୧୮ ଦିନ ମଧ୍ୟରେ ୫ଟି ସ୍ବର୍ଣ୍ଣ ପଦକ ଜିତି କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ଚହଳ ପକାଇଛନ୍ତି। ନିକଟରେ ଟୁଇଟ ଯୋଗେ ସେ ନିଜ ସଫଳତାର ରହସ୍ୟ ଉନ୍ମୋଚନ କରିଛନ୍ତି। ସେ କହିଛନ୍ତି, କଠିନ ପରିଶ୍ରମ, ସ୍ବପ୍ନ ଏବଂ ନିଷ୍ଠା ଥିଲେ ସଫଳତା ନିଶ୍ଚିତ। ଆସାମ ନୌଗାଁରେ ହିମା ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ। ୪ ଭାଇ ଭଉଣୀଙ୍କ ମଧ୍ୟରୁ ହିମା ବଡ ଥିଲେ। ପାଠରେ ଜଣେ ଉତ୍ତମ ଛାତ୍ରୀ ଭାବେ ଜଣାଶୁଣା ଥିଲେ ସେ। ପିଲାଙ୍କ ସହ ଫୁଟବଲ ଖେଳିବା ଥିଲା ତାଙ୍କ ସଉକ। ଭବିଷ୍ୟତରେ ଜଣେ ଆଥଲେଟ ହେବେ କେବେ ସ୍ବପ୍ନରେ ସୁଦ୍ଧା କେବେ ଭାବି ନ ଥିଲେ ସେ। ଜଣେ ଫୁଟବଲ ଖେଳାଳି ହେବାକୁ ଇଚ୍ଛା କରିଥିବା ହିମା ଆଥଲେଟ ହେବାକୁ ଆଦୌ ଚାହୁଁ ନ ଥିଲେ। କିନ୍ତୁ ସ୍ଥାନୀୟ ଜଣେ କୋଚଙ୍କ ଉପଦେଶ ମାନି ଦୌଡିବା ଆରମ୍ଭ କରିଥିଲେ। ଶେଷରେ ତାଙ୍କୁ ସଫଳତା ମିଳିଥିଲା। ୨୦୧୮ରେ ଫିନଲାଣ୍ଡରେ ଅନୁଷ୍ଠିତ ୨୦ ବର୍ଷରୁ କମ ଅନ୍ତର୍ଜାତୀୟ ଆଥଲେଟିକ୍ସ ଚାମ୍ପିଆନସିପରେ ପ୍ରଥମ ଭାରତୀୟ ମହିଳା ଭାବେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ। ୧୮ ବର୍ଷିୟ ହିମା ୪୦୦ ମିଟର ଦୌଡ ୫୧.୪୬ ସେକେଣ୍ଡରେ ପୁରା କରିଥିଲେ। ଏହାପରେ ହିମା ସାରା ଦେଶରେ ପରିଚିତ ହାସଲ କରିଥିଲେ।

Share