ସନ୍ୟାସୀ ହେବେ ବିନୋଦଙ୍କ ପୁଅ

ମୁମ୍ବାଇ: ୭୦ଦଶକର ସୁପରଷ୍ଟାର ବିନୋଦ ଖାନ୍ନା ଏବେ ବି ଲୋକଙ୍କ ହୃଦୟରେ ରହିଛନ୍ତି। ଏହି ଆଗଧାଡିର ଅଭିନେତା ଯେତେବେଳେ ନିଜ କ୍ୟାରିୟରର ସବୁଠୁ ଶୀର୍ଷରେ ରହିଥିଲେ ସେହି ସମୟରେ ସେ ଆଧ୍ୟାତ୍ମିକ ଗୁରୁ ଓଶୋଙ୍କ ଶରଣ ନେଇ ପରିବାର ଲୋକଙ୍କୁ ଓ ପ୍ରଶଂସକଙ୍କୁ ଚକିତ କରିଦେଇଥିଲେ। ସନ୍ୟାସ ନେବା ପରେ ବିନୋଦଙ୍କର ଭାରତକୁ ଆସିବା କମ୍‌ ହୋଇଯାଇଥିଲା। ଆଉ ଦୀର୍ଘ ଦିନ ଧରି ଲାଇମ୍‌ଲାଇଟରୁ ଦୂରେଇ ରହିଥିଲେ ଏହି ଅଭିନେତା। ପରେ ୧୯୮୭ରେ ଫିଲ୍ମ ଇନ୍‌ସାଫ ଜରିଆରେ ପୁଣି ଥରେ ବଲିଉଡ୍‌ରେ କମ୍‌ବ୍ୟାକ୍‌ କରିଥିଲେ। ହେଲେ ପୂର୍ବଭଳି ତାଙ୍କୁ ସଫଳତା ମିଳି ନ ଥିଲା। ଏବେ କୁହାଯାଉଛି ବିନୋଦଙ୍କ ପୁଅ ସାକ୍ଷୀ ଖାନ୍ନା ମଧ୍ୟ ବାପାଙ୍କ ଚଲାପଥକୁ ଅନୁସରଣ କରୁଛନ୍ତି। ସାକ୍ଷୀ ଆଧ୍ୟାତ୍ମିକ ରାସ୍ତାକୁ ଚୟନ କରିବା ସହ ଓଶୋ ଇଣ୍ଟରନ୍ୟାଶନାଲରେ ଯୋଗଦେଇଛନ୍ତି ବୋଲି ଶୁଣିବାକୁ ମିଳିଛି। ସାକ୍ଷୀ ହେଉଛନ୍ତି ବିନୋଦଙ୍କ ଦ୍ୱିତୀୟ ସ୍ତ୍ରୀ କବିତାଙ୍କ ପୁଅ। ୪ବର୍ଷ ପୂର୍ବରୁ ସାକ୍ଷୀ ବଲିଉଡ୍‌ର ମିଲନ ଲୁଥରିଆଙ୍କ ଫିଲ୍ମ ଜରିଆରେ ବଡ଼ ପରଦାରେ ଡେବ୍ୟୁ କରିବେ ବୋଲି କୁହାଯାଉଥିଲା। ହେଲେ ନା ସେ ବଲିଉଡ୍‌ରେ ଡେବ୍ୟୁ କରିଲେ ନା ଏହା ପଛର କାରଣ ଜଣାପଡ଼ିଲା। ଅନ୍ୟପଟେ ବିନୋଦଙ୍କ ବଡ଼ ପୁଅ ଅକ୍ଷୟ ଖାନ୍ନା ଏବେ ବି ବଲିଉଡ୍‌ରେ ସକ୍ରିୟ ରହିଛନ୍ତି। ତେବେ ବିନୋଦଙ୍କ ପର୍ସନାଲ ଲାଇଫ ବିଷୟରେ କହିବାକୁ ଗଲେ ସେ ୨ଜଣଙ୍କୁ ବିବାହ କରିଥିଲେ। ପରିବାର ଓ କ୍ୟାରିୟର ମଧ୍ୟରେ ସନ୍ତୁଳନ ରକ୍ଷା ନ କରିପାରିବାରୁ ସେ ସନ୍ୟାସ ଗ୍ରହଣ କରିଥିଲେ ବୋଲି ଆଜି ବି ଚର୍ଚ୍ଚା ହୁଏ। ତେବେ ସନ୍ୟାସରୁ ଫେରିବା ପରେ ପ୍ରଥମ ସ୍ତ୍ରୀ ଗୀତାଞ୍ଜଳୀଙ୍କ ସହ ତାଙ୍କ ସମ୍ପର୍କ ଭାଙ୍ଗିଯାଇଥିଲା। ଏହାପରେ ସେ କବିତାକୁ ବିବାହ କରିଥିଲେ।

Share