ସନ୍ଧ୍ୟା ୭ଟା ପରେ ଦୋକାନ ବନ୍ଦ କରିବାକୁ ଚାହୁଁଛନ୍ତି ସୁରଟର ୩୦ଟି ବଜାରର କପଡ଼ା ବ୍ୟବସାୟୀ

ସୁରଟ, ୭।୬: କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି କରାଯାଇଥିଲା। ଧୀରେଧୀରେ ଆର୍ଥିକ ଅବସ୍ଥାରେ ସୁଧାର ଆଣିବା ଲାଗି ସରକାରଙ୍କ ପକ୍ଷରୁ ଅନ୍‌ଲକ୍‌-୧ ଘୋଷଣା କରାଯାଇଛି। ତେବେ ଲକ୍‌ଡାଉନ୍‌ ସମୟରେ ପରିବାର ସଦସ୍ୟଙ୍କ ସହିତ ଅଧିକ ସମୟ ବିତାଇଥିବା ସୁରଟର ୩୦ଟି ବଜାରର କପଡ଼ା ବ୍ୟବସାୟୀ ଏବେ ଦୋକାନ ସନ୍ଧ୍ୟା ୭ଟା ପରେ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପରିବାର ସହିତ ସମୟ ବିତାଇବା ପରେ ଏହାର ଗୁରୁତ୍ୱ ସେମାନେ ଉପଲବ୍ଧି କରିପାରିଛନ୍ତି। ତେଣୁ ସନ୍ଧ୍ୟା ୭ଟା ପରେ ଦୋକାନ ବନ୍ଦ କରି ଘରକୁ ଫେରି ପରିବାରକୁ ସମୟ ଦେବାକୁ ଚାହୁଁଥିବା ସେମାନେ କହିଛନ୍ତି। ବଜାର ଖୋଲିବା ସମୟ ପୂର୍ବାହ୍ନ ୯ଟାଠାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କରିବାକୁ ସେମାନେ ଦାବି କରିଛନ୍ତିି। ଏନେଇ ସେମାନେ କପଡ଼ା ମାର୍କେଟ୍‌ ଆସୋସିଏଶନ୍‌ ଫାଷ୍ଟୋକୁ ଚିଠି ମଧ୍ୟ ଲେଖିଛନ୍ତି। ଏବେ ବ୍ୟବସାୟୀମାନେ ଫାଷ୍ଟୋର ଉତ୍ତରକୁ ଅପେକ୍ଷା କରିଛନ୍ତି। ବ୍ୟବସାୟୀମାନେ ଦୋକାନ ଖୋଲିବା ସମୟକୁ ଗୁରୁତର ସହିତ ବିଚାର କରୁଥିବା ଫାଷ୍ଟୋ ଅଧ୍ୟକ୍ଷ ମନୋଜ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି। ଏନେଇ ଖୁବ୍‌ ଶୀଘ୍ର ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Share