Categories: ଫୁରସତ

ସନ୍ତାନ ପାଇଁ ନୁଡଲ୍ସରେ ଘର ତିଆରିକଲେ ବାପା

ଆମେ ସମସ୍ତେ ନୁଡଲ୍ସକୁ କେବଳ ଖାଦ୍ୟ ରୂପେ ବ୍ୟବହାର କରିଥାଉ। ମାତ୍ର ଚାଇନାର ଜଣେ ବ୍ୟକ୍ତି ଏହାର ବ୍ୟବହାର କରି କିଛି ଭିନ୍ନ ଦେଖାଇଛନ୍ତି। ଖୁବ୍‌ଶୀଘ୍ର ବାପା ହେବାକୁ ଯାଉଥିବା ଝାଙ୍ଗ ନାମକ ଜଣେ ବ୍ୟକ୍ତି ନୁଡଲ୍ସ ସାହାଯ୍ୟରେ ନିଜର ଆଗାମୀ ପିଲା ପାଇଁ ଏକ ଛୋଟ ଘର ତିଆରି କରିଛନ୍ତି। ଏହି ପ୍ଲେ ହାଉସ୍‌ ତିଆରି କରିବା ପରେ ଝାଙ୍ଗ ଏହାର ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହାକୁ ନେଇ ଚର୍ଚ୍ଚା ମଧ୍ୟ ଜୋର୍‌ ଧରିଛି।
ଝାଙ୍ଗଙ୍କ କହିବା ଅନୁଯାୟୀ, ତାଙ୍କର ଜଣେ ବନ୍ଧୁ ନୁଡଲ୍ସ ହୋଲ୍‌ସେଲର। ଅବଧି ଶେଷ ହୋଇଯାଇଥିବା ବହୁ ନୁଡଲ୍ସ ତାଙ୍କ ପାଖରେ ଥିଲା। ଖରାପ ହୋଇଯାଇଥିବା ଏହି ନୁଡଲ୍ସକୁ ତାଙ୍କ ବନ୍ଧୁ ଫୋପାଡ଼ିବାକୁ ଚାହୁଁଥିଲେ। ମାତ୍ର ଝାଙ୍ଗ ତାହାକୁ ଫୋପାଡ଼ିବାକୁ ନ ଦେଇ ଘରକୁ ଆଣି ଏପରି ଆକୃତି ଦେଇଛନ୍ତି। ପ୍ରାୟ ୨ ହଜାର ନୁଡଲ୍ସ ପ୍ୟାକେଟ ସାହାଯ୍ୟରେ ସେ ଏହି ଘର ନିର୍ମାଣ କରିଛନ୍ତି। ଘରେ ଏକ ଖଟ ପଡ଼ିଛି। ଉକ୍ତ ଖଟରେ ଜଣେ ବୟସ୍କ ବ୍ୟକ୍ତି ମଧ୍ୟ ଶୋଇପାରିବେ। ଏହି ଘରେ ଝରକା ଥିବା ବେଳେ ଲାଇଟ୍‌ ମଧ୍ୟ ଲଗାଯାଇଛି।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଝାଙ୍ଗଙ୍କ ଏପରି କାମକୁ ନେଇ କେତେଜଣ ପ୍ରଶଂସା କରୁଥିବା ବେଳେ ଆଉ କେତେକେ ନାନା କଥା କହୁଛନ୍ତି। ତେବେ କେତେଜଣ ଲୋକଙ୍କ କହିବା କଥା ହେଲା, ଅବଧି ଶେଷ ହୋଇଥିବା ଏହି ନୁଡଲ୍ସକୁ ଛୋଟ ପିଲା ଭୁଲ୍‌ରେ ଖାଇଦେଲେ ବିଭିନ୍ନ ପ୍ରକାର ସମସ୍ୟା ହେବ। ଖରାପ ହୋଇଯାଇଥିବା ନୁଡଲ୍ସରୁ ବିଭିନ୍ନ ପ୍ରକାର ପୋକ ଏବଂ ରୋଗ ମଧ୍ୟ ଜାତ ହେବ। ତେଣୁ ଶିଶୁର ସ୍ବାସ୍ଥ୍ୟ ଦୃଷ୍ଟିରୁ ଏପରି ଘର ତିଆରି କରିବା ଠିକ୍‌ ନୁହେଁ।

Share