ସତ୍ୟବାଦୀ ନିର୍ବାଚନମଣ୍ଡଳୀ: ୧୧ ବୁଥ୍‌ରେ ସାନି ମତଦାନ ଦାବି

ପୁରୀ ଅଫିସ,୨୫ା୪: ସତ୍ୟବାଦୀ ନିର୍ବାଚନମଣ୍ଡଳୀର ୭୮ ନଂ. ବୁଥ୍‌ରେ ଭାଜପା ଏଜେଣ୍ଟଙ୍କୁ ପୂରାଇ ଦିଆଯାଇ ନ ଥିବା ଅଭିଯୋଗ ଆଣିଛନ୍ତି ଭାଜପାର ବରିଷ୍ଠ ନେତା କୃଷ୍ଣଚନ୍ଦ୍ର ଜଗଦ୍ଦେବ । ବୁଧବାର ଏଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଜଗଦ୍ଦେବ କହିଛନ୍ତି ଯେ, ପୂର୍ବରୁ ବିଜେଡି ନେତୃବୃନ୍ଦ ବୁଥ୍‌ କ୍ୟାପ୍‌ଚରିଂ କରିଥିବାର ନଜିର ରହିଛି। ତେଣୁ ନିର୍ବାଚନମଣ୍ଡଳୀର ୧୧ଟି ବୁଥ୍‌ ଯଥା ଆଳିପଡ଼ାର ୯୯ ନଂ. ବୁଥ୍‌, ନୂଆଗଁାର ୧୦୦, ଦୋଛିଅଁାର ୧୦୧, ଅଡାଲର ୧୦୨, ବଡାଲର ୧୦୩, ଜାଗୁଳାଇପଦରର ୧୦୭ ଓ ୧୦୮, ବଡ଼ଓରାର ୧୦୯, ଓଗାଳପୁରର ୧୧୩, ଗୋପୀନାଥପୁରର ୧୧୪ ଏବଂ ବୀରକେଶରୀପୁରର ୭୮ ନଂ. ବୁଥ୍‌ରେ ସିସିଟିଭି କ୍ୟାମେରା ସାଙ୍ଗକୁ ଆବଶ୍ୟକ ସୁରକ୍ଷା ବଳ ନିୟୋଜିତ ଲାଗି ଜିଲାପାଳଙ୍କୁ ଜଣାଇଥିଲୁ। କିନ୍ତୁ ଏ ନେଇ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ଫଳରେ ମଙ୍ଗଳବାର ଏହି ବୁଥ୍‌ଗୁଡ଼ିକ ମଧ୍ୟରୁ ୭୮ନଂ. ସମେତ ଅଧିକାଂଶ ବୁଥ୍‌ରେ ଭାଜପା ଏଜେଣ୍ଟକୁ ବସାଇ ଦିଆଗଲାନାହିଁ । ତେଣୁ ଏଠାରେ ନିରପେକ୍ଷ, ଅବାଧ ମତଦାନ ହୋଇ ନାହିଁ। ଏହି ୧୧ଟି ବୁଥ୍‌ରେ ସାନି ମତଦାନ ପାଇଁ ଆମେ ଜିଲା ପ୍ରଶାସନ ନିକଟରେ ଦାବି କରୁଛୁ। ସେହିପରି ଭାଜପା ପ୍ରାର୍ଥୀ ଓମ୍‌ପ୍ରକାଶଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି ସେ ସମ୍ପର୍କରେ ଜଗଦ୍ଦେବ କହିଥିଲେ, ଓମ୍‌ପ୍ରକାଶ କିମ୍ବା ତାଙ୍କ ସମର୍ଥକ ଇଭିଏମ୍‌ ଭଙ୍ଗାରୁଜା କରିନାହାନ୍ତି । ଓମ୍‌ପ୍ରକାଶଙ୍କୁ ବଦ୍‌ନାମ କରିବା ଲାଗି ଷଡ଼ଯନ୍ତ୍ର କରାଯାଇଛି। ବୁଥ୍‌ କ୍ୟାପ୍‌ଚରିଂ ଅଭିଯୋଗ ପାଇ ସେ ସେଠାକୁ ଯାଇଥିଲେ । ଇଭିଏମ୍‌ କିଏ ଭାଙ୍ଗିଲା ତାହାର ତଦନ୍ତ କରାଯିବା ଦରକାର ବୋଲି ଜଗଦ୍ଦେବ ପ୍ରକାଶ କରିଛନ୍ତି।