ସଡ଼କ ଦୁର୍ଘଟଣାରେ ଶିଶୁ କଳାକାର ମୃତ

ମୁମ୍ବାଇ: ‘ସଙ୍କଟମୋଚନ ହନୁମାନ’ ଓ ‘ସସୁରାଲ ସିମର କା’ ଭଳି ପ୍ରମୁଖ ସିରିୟଲରେ କାମ କରିଥିବା ଟେଲି ଶିଶୁ କଳାକାର ଶିବଲେଖ ସିଂହଙ୍କ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୪ ବର୍ଷ ହୋଇଥିଲା। ଗୁରୁବାର ଅପରାହ୍ନରେ ଛତିଶଗଡ଼ ବିଳାସପୁରରୁ ରାୟପୁରକୁ ଯାଉଥିବା ବେଳେ ବାହରି ଅଞ୍ଚଳରେ ଶିବଲେଖଙ୍କ କାର ସହ ଏକ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଶିବଲେଖଙ୍କ ମୃତ୍ୟୁ ହୋଇଥିବା ବେଳେ କାରରେ ଥିବା ତାଙ୍କ ମା’ ଲେଖନା, ବାପା ଶିବେନ୍ଦ୍ର ଓ ସମ୍ପର୍କୀୟ ନବୀନ ସିଂହ ଆହତ ହୋଇଛନ୍ତି। ତେବେ ଶିବଲେଖଙ୍କ ମା’ଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରେ ଟ୍ରକ ଛାଡ଼ି ଚାଳକ ଫେରାର ହୋଇଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଟ୍ରକକୁ ଜବତ କରିବା ସହ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସୂଚନାଯୋଗ୍ୟ, ଶିବଲେଖ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବାକୁ ପରିବାର ଲୋକଙ୍କ ସହ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ସେ ବହୁ ହିନ୍ଦୀ ସିରିୟଲରେ କାମ କରିଛନ୍ତି। ‘ସଙ୍କଟ ମୋଚନ ହନୁମାନ’, ‘ବାଲବୀର’ ଓ ‘ସସୁରାଲ ସିମର କା’ରେ ତାଙ୍କର ଅଭିନୟକୁ ବହୁ ପ୍ରଂଶସା କରାଯାଇଥିଲା। ଏଥିସହ ସେ କିଛି ରିଅଲିଟି ଶୋ’ରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ତେବେ ଏହି ଖବର ସାମ୍ନାକୁ ଆସିବା ପରେ ଟେଲି ଜଗତରେ ଏବେ ଶୋକର ଛାୟା ଖେଳିଯାଇଛି।

Share