ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି ଅଧିକାଂଶ ଯୁବପିଢ଼ି

ଭୁବନେଶ୍ୱର,୧୮ା୧(ବ୍ୟୁରୋ): ଦେଶରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର କ୍ରମଶଃ ବଢ଼ିବାରେ ଲାଗିଛି, ଯେଉଁମାନଙ୍କ ମଧ୍ୟରେ ସର୍ବାଧିକ ୧୮ ରୁ ୩୫ ବର୍ଷର ବୟସ୍କ ବ୍ୟକ୍ତି ରହୁଛନ୍ତି। ଏହାକୁ ନେଇ ବିଶେଷଜ୍ଞମାନେ ଏବେ ଚିନ୍ତାପ୍ରକଟ କରୁଥିବାବେଳେ ବେପରୁଆ ଗାଡ଼ିଚାଳନା, ଖରାପ ରାସ୍ତା ଏବଂ ବିଶେଷକରି ମାଦକ ଦ୍ରବ୍ୟ ସେବନକରି ଗାଡ଼ିଚାଳନା ଏହାର ପ୍ରମୁଖ କାରଣ ହେଉଛି। ଏହାଦ୍ୱାରା ଅନେକ ମୂଲ୍ୟବାନ ଜୀବନ ଦୀପ ଅକାଳରେ ଲିଭିଯିବା ସହିତ ବହୁ ଧନ ସମ୍ପତ୍ତି ନଷ୍ଟ ହେଉଥିବା ଜିକିତ୍ସା ହେଲଥ୍‌ କେୟାର ଲିମିଟେଡ୍‌ ଓଡ଼ିଶା ମୁଖ୍ୟ ସବ୍ୟସାଚୀ ବିଶ୍ୱାଳ କହିଛନ୍ତି। ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଶୁକ୍ରବାର ଜିକିତ୍ସା ହେଲଥ୍‌ କେୟାର ଲିଃ. ପକ୍ଷରୁ ରାମ ମନ୍ଦିର ଛକଠାରେ ଆୟୋଜିତ ସଡ଼କ ସୁରକ୍ଷା ସଚେତନତା ଅଭିଯାନରେ ଯୋଗଦେଇ ବିଶ୍ୱାଳ କହିଥିଲେ, ଆମ ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁହାର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ, ଗାଡ଼ିଚାଳନା ସମୟରେ ମୋବାଇଲରେ କଥା ହେବା ଆଦି ଯୋଗୁ ସଡ଼କ ଦୁର୍ଘଟଣା ଘଟୁଛି। ଲୋକମାନଙ୍କୁ ଏନେଇ ସଚେତନ କରିବାକୁ ଜରୁରିକାଳୀନ ସେବା ଯୋଗାଇ ଆସୁଥିବା ୧୦୮ ଏବଂ ୧୦୨ ଆମ୍ବୁଲାନ୍ସ ପରିଚାଳନା କରୁଥିବା ସଂସ୍ଥା ଜିକିତ୍ସା ହେଲଥ୍‌ କେୟାର ପକ୍ଷରୁ ପଦକ୍ଷେପ ନିଆଯାଇଛି ବୋଲି ସେ କହିଥିଲେ। ଏହି ଅବସରରେ ଜିକିତ୍ସାର କର୍ମଚାରୀମାନେ ପଥଚାରୀଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନ କରିଥିଲେ।