ଶଟଡାଉନରେ ଭୋକିଲା ଷଣ୍ଢ ଓ କୁକୁରଙ୍କ ବିକଳ ଦୃଶ୍ୟ: ଖାଇବାକୁ ଦେଇ ହୃଦୟ ଜିଣିଲେ ପୋଲିସ ଆଉ ସ୍ଥାନୀୟ ବାସିନ୍ଦା

ଭୁବନେଶ୍ୱର, ୫ା୪ (ବ୍ୟୁରୋ): ରାଜଧାନୀରେ ଲାଗୁ ହୋଇଥିବା ୪୮ ଘଣ୍ଟିଆ ଶଟଡାଉନରେ ପ୍ରଭାବିତ ସାଧାରଣ ମଣିଷଠାରୁ ଆରମ୍ଭ କରି ପଶୁ ଓ ପକ୍ଷୀକୂଳ। ରାସ୍ତା ଘାଟରେ ପୋଲିସର କଡା ତାଗିଦି ଯୋଗୁ ସବୁଠାରେ ଅଭୂତ ନିରାବତା । ପୋଲିସର ମାଡ ଭୟରେ ଅମାନିଆ ମଣିଷ ଚୁପ ଚାପ। ଏତିକିବେଳେ ବୁଲା ଷଣ୍ଢ ଓ କୁକୁରଙ୍କ ଦୁର୍ଦ୍ଦଶା ଅତ୍ୟନ୍ତ ଦୟନୀୟ। ଶଟଡାଉନରେ ରାସ୍ତାକୁ ଆସୁଥିବା ମଣିଷକୁ ପୋଲିସ ପିଟୁଥିବା ବେଳେ ଷଣ୍ଢ ଓ କୁକୁରଙ୍କୁ ଲଗାମ ଦେଇ ପାରିନାହିଁ। ରବିବାର ଦିନ ଧୁ ଧୁ ଖରାବେଳେ ଲିଙ୍ଗରାଜ ମନ୍ଦିର ସମୁଖ ଦୃଶ୍ୟ ସବୁଠାରୁ ହୃଦୟ ବିଦାରକ ଥିଲା । ଖାଇବାକୁ ପାଉନଥିବା ଏକାଧିକ ଷଣ୍ଢ ଓ କୁକୁର ମନ୍ଦିର ସୁରକ୍ଷାରେ ରହିଥିବା ଜଣେ ପୋଲିସଙ୍କୁ  ଘେରିଯାଇ ରଡିବୋବାଳି ଛାଡିଥିଲେ। ଜୀବମାନଙ୍କୁ ପୋଲିସ  ଜଣଙ୍କ ବିଚଳିତ ହୋଇପଡିଥିଲେ। ଲିଙ୍ଗରାଜ ମନ୍ଦିରର ନିତିକ୍ରାନ୍ତି ବନ୍ଦ ଥିବାରୁ ପ୍ରସାଦ ରନ୍ଧନ ହେଉନାହିଁ। ଭୋକିଲା ଜୀବମାନଙ୍କୁ ଖାଇବାକୁ ଦେବାଲାଗି ପାଖଆଖରେ ଖାଦ୍ୟ ମହଜୁଦ ନାହିଁ। ମନ୍ଦିର ନିକଟରେ ରହୁଥିବା ଗୁଜୁରାଟ ସମ୍ପ୍ରଦାୟର ଦୀପକ ମାଧୁଆନିଙ୍କ ଘରକୁ ଯାଇ ଏହି ଭୋକିଲାମାନଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରିବାକୁ କହିଲେ ପୋଲିସ । ତାଙ୍କ କଥାଶୁଣି ଏହି ଭଦ୍ର ବ୍ୟକ୍ତି ଜଣଙ୍କ ସଟ ଡାଉନକୁ ଖାତିରି ନ କରି ଭୋକିଲା ମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରି ଷଣ୍ଢ ଓ କୁକୁରଙ୍କୁ ଖାଇବାକୁ ଦେଇଥିଲେ। ଖାଦ୍ୟ ଖାଇବା ପରେ ଖୁସିରେ ବିନ୍ଦୁସାଗର କୂଳ ଆଡକୁ ଷଣ୍ଢ ଓ କୁକୁର ଚାଲିଯାଇଥିଲେ। ତେବେ ପ୍ରଶାସନ ପକ୍ଷରୁ ଶଟ ଡାଉନ ଭଳି ସ୍ଥିତି ଜାରି ହେଲା ପରେ ପାଟି ଫିଟୁ ନଥିବା ଭୋକିଲା ବୁଲା ଜୀବମାନଙ୍କୁ ପାଇଁ ଦାନା ଯୋଗାଇବା ପ୍ରାଥମିକତା ଦେବା ଉଚିତ ବୋଲି ସାଧାରଣରେ ଆଲୋଚନା ହେଉଛି। ଏଭଳି ଉଦ୍ୟମକୁ ରାଜଧାନୀର ବୁଦ୍ଧିଜୀବୀ ଓ ସାଧାରଣ ଲୋକେ ଭୁୟସୀ  ପ୍ରଶଂସା କରିଛନ୍ତି।