‘ସଚେତନ ହେବା, ସୁରକ୍ଷିତ ରହିବା’

ଭୁବନେଶ୍ୱର,୨୩।୩(ବ୍ୟୁରୋ): କରୋନା ମୁକାବିଲା ଲାଗି ଜରୁରୀ ସେବାରେ ନିୟୋଜିତ ଥିବା ଡାକ୍ତର, ନର୍ସ, ସ୍ବାସ୍ଥ୍ୟ ଏବଂ ସଫେଇ କର୍ମଚାରୀ, ପରିବହନ କାର୍ଯ୍ୟରେ ନିୟୋଜିତ ଥିବା ବ୍ୟକ୍ତି, ପୋଲିସ, ଗଣମାଧ୍ୟମ ପ୍ରତିନିଧି ଏବଂ ଅତ୍ୟାବଶ୍ୟକ ଜିନିଷ ଯୋଗାଉଥିବା ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଳି ବଜାଇ ଧନ୍ୟବାଦ ଜଣାଇବାପରେ ଟୁଇଟ୍‌ କରି ନିଜକୁ ଏହି ଅଭିଯାନରେ ସାମିଲ କରୁଥିବା ଦର୍ଶାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନର ବିରାଟ ସ୍ବାସ୍ଥ୍ୟ ସଙ୍କଟରେ ଲୋକମାନଙ୍କ ସୁବିଧା ପାଇଁ ଜରୁରିକାଳୀନ ସେବା ଯୋଗାଉଥିବା ବ୍ୟକ୍ତିମାନେ ନିଜର ଶ୍ରେଷ୍ଠ ଭୂମିକା ନିର୍ବାହ କରୁଛନ୍ତି। ଏହି ଲଢ଼େଇକୁ ଦୃଢ଼ତାର ସହ ଲଢ଼ିବା ସହିତ ସଚେତନ ଓ ସୁରକ୍ଷିତ ରହିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସମସ୍ତ ଜରୁରୀ ସେବା ଯୋଗାଉଥିବା ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାଗି ସମସ୍ତେ ଆଜି ଏକାଠି ହୋଇପାରିଥିବା ସେ ଟୁଇଟ୍‌ କରି ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷରେ ‘ଜନତା କର୍ଫ୍ୟୁ’ ଲୋକମାନଙ୍କ ଶତପ୍ରତିଶତ ସମର୍ଥନ ପାଇଁ ସେ ଧନ୍ୟବାଦ ଜଣାଇଛନ୍ତି।