ସଙ୍ଗୀତ ମାୟାରେ ରୁନୁ

ପିଲାଟି ଦିନରୁ ତାଙ୍କର ସଙ୍ଗୀତ ପ୍ରତି ରୁଚି ଥିଲା। ଏହା ଦେଖି ତାଙ୍କର ମା’ ରଶ୍ମିତା ପଣ୍ଡା ଏବଂ ବାପା ଚନ୍ଦ୍ରମଣି ପଣ୍ଡା ତାଙ୍କୁ ଏ ଦିଗରେ ଉତ୍ସାହିତ କରିଥିଲେ। ନିହାର ରଞ୍ଜନ ପତିଙ୍କ ନିକଟରୁ ସଙ୍ଗୀତ ଶିକ୍ଷା ଶେଷ ପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ସଙ୍ଗୀତ ଜଗତରେ ସେ ଏବେ ଜଣେ ପରିଚିତା ପ୍ରତିଭା। ସେ ହେଲେ ରୁନୁ ପଣ୍ଡା। ଗୀତ ଗାଇବାକୁ ମଞ୍ଚ ଉପରକୁ ଉଠିବା ପରେ ସେ ନିଜର ସୁଲଳିତ ସ୍ବରରେ ଦର୍ଶକଙ୍କୁ ମତୁଆଲା କରିଦିଅନ୍ତି। ଗୀତ ଏବଂ ମ୍ୟୁଜିକର ତାଳେ ତାଳେ ସଙ୍ଗୀତ ପରିବେଷଣ କରିବା ସହ ତାଙ୍କର ଡ୍ୟାନ୍ସ ଯୁବପିଢ଼ିଙ୍କୁ ବେଶ୍‌ ପ୍ରଭାବିତ କରିଛି। କେବଳ ଓଡ଼ିିଆ ନୁହେଁ ସମ୍ବଲପୁରୀ ଗୀତ ପରିବେଷଣ କରି ସେ ସାଉଁଟିଛନ୍ତି ପ୍ରଶଂସା। କଟକରେ ଜନ୍ମିତା ଏହି ଗାୟିକା ଏବଂ ହିନ୍ଦୁସ୍ଥାନ ଭୋକାଲରେ ତୃତୀୟ ବର୍ଷ ଛାତ୍ରୀ। ପ୍ରଥମେ ଅର୍କେଷ୍ଟ୍ରା ତା’ପରେ ଇଭେଣ୍ଟ ଶୋ’ ଏବଂ ଭଜନ ସମାରୋହରେ ସଙ୍ଗୀତ ପରିବେଷଣ କରି ଯେଉଁ ଅଭିଜ୍ଞତା ଅର୍ଜନ କରିଥିଲେ ତାହା ତାଙ୍କ ପାଇଁ ବେଶ୍‌ ପ୍ରେରଣାଦାୟକ ହୋଇଛି। ନିକଟରେ ତାଙ୍କର ‘ବିୟରଓ୍ବାଲି’ ଆଲବମକୁ ଶ୍ରୋତା ଗ୍ରହଣ କରିଛନ୍ତି। ରୁନୁ ଏବେ ନବଗଠିତ ଅପେରା ସୂର୍ଯ୍ୟମନ୍ଦିରର ମେଲୋଡି ୟୁନିଟ୍‌ରେ ଯୋଗ ଦେଇଛନ୍ତି। ‘ଶ୍ରୋତାଙ୍କ ସମ୍ମୁଖରେ ଗୀତ ପରିବେଷଣ କରିବା ଏତେ ସହଜ ନୁହେଁ। ହେଲେ ନିଜର ଆତ୍ମବିଶ୍ୱାସ ବଳରେ ମୁଁ ସେମାନଙ୍କୁ ଶତ ପ୍ରତିଶତ ଏଣ୍ଟରଟେନମେଣ୍ଟ ଦେବାକୁ ଚେଷ୍ଟା କରେ। ସଙ୍ଗୀତ ମୋ ଜୀବନ। ଏହାକୁ ଛାଡି ମୁଁ ବଞ୍ଚତ୍ପାରିବି ନାହିଁ ବୋଲି କହନ୍ତି ମେଲୋଡି କୁଇନ୍‌ ଭାବରେ ପରିଚିତା ରୁନୁ।

Share